ଆଶ୍ଚର୍ଯ୍ୟଜନକ NCRB ରିପୋର୍ଟ, ୨୦୨୦ରେ ୧୧ ହଜାର ବ୍ୟବସାୟୀ କରିଛନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ: ବହୁରୂପୀ ଭୂତାଣୁ ଲକ୍ଷାଧିକଙ୍କ ଜୀବନ ନେଇଥିବା ବେଳେ ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଉଜୁଡ଼ି ଯାଇଛି ଅନେକ ପରିବାର । ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ମାମଲା ୫୦ପ୍ରତିଶତ ବଢ଼ିଛି । ବ୍ୟବସାୟରେ ଘାଟା ଯୋଗୁ ୧୧ହଜାରରୁ ଅଧିକ ଛୋଟବଡ଼ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଚିନ୍ତାଜନକ ରିପୋର୍ଟ ଦେଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ।

କରୋନା ପରେ ଦେଶରେ ବଢ଼ିଛି ଆତ୍ମହତ୍ୟା ମାମଲା । କରୋନା ସଙ୍କଟରେ ସାମାନ୍ୟ ଆଶ୍ବସ୍ତି ଆସିଥିବା ବେଳେ ଚିନ୍ତାଜନକ ରିପୋର୍ଟ ଦେଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି । ଦେଶରେ ଚାଷୀଙ୍କ ତୁଳନାରେ ଆତ୍ମହତ୍ୟା କରିଛନ୍ତି ଅଧିକ ବ୍ୟବସାୟୀ । ଯାହା ଇତିହାସରେ ପ୍ରଥମ । ବାରମ୍ବାର ଲକଡାଉନ, ସଟଡାଉନ, ମାନ୍ଦା ବ୍ୟବସାୟ ଆଦି କାରଣରୁ ବ୍ୟବସାୟୀମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହେବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ଯୋଗୁ ଋଣ ପରିଶୋଧ କରି ନପାରି ୧୧ହଜାରରୁ ଅଧିକ ଛୋଟବଡ଼ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି ।

ବ୍ୟବସାୟରେ ବ୍ୟାପକ କ୍ଷତି କାରଣରୁ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ହୋଇଛି । 2020ରେ 11 ହଜାର 716ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ 4 ହଜାର 356 ଜଣ ଛୋଟ, ମଧ୍ୟମ ଓ ବଡ ବ୍ୟବସାୟୀ ଥିବାବେଳେ, 4 ହଜାର 226 ଜଣ ଭେଣ୍ଡର ଥିଲେ । ସେହିପରି କୃଷି ସଂକଟ, ଫସଲହାନି, ଋଣଭାର ଆଦି କାରଣରୁ ଚାଷୀ ଆତ୍ମହତ୍ୟା ସଂଖ୍ୟା ବି ବଢିଛି । 10 ହଜାର 677 ଜଣ ଚାଷୀ ମୃତ୍ୟୁର ପଥ ବାଛି ନେଇଥିବା ରିପୋର୍ଟ ଦେଇଛି ଏନସିଆରବି।
ଦେଶରେ ମୋଟ ଆତ୍ମହତ୍ୟା ହାର 10 ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ଦେଶରେ 1 ଲକ୍ଷ 53 ହଜାର 52ଜଣ ଲୋକ ଆତ୍ମହତ୍ୟା କରିଛନ୍ତି, ଯାହାକି ଦେଶର ଇତିହାସରେ ସର୍ବାଧିକ ।

Leave a Reply