ଇଡି ଚାର୍ଜସିଟରୁ ଏନସିପି ନେତାଙ୍କ ନାଁ ଉଭାନ, ପଦାରେ ପଡିଲା ପାତରଅନ୍ତର ମନୋଭାବ

1 min read

ମୁମ୍ବାଇ: ପଦାରେ ପଡିବାରେ ଲାଗିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପାତରଅନ୍ତର ମନୋଭାବ । ବହୁଚର୍ଚ୍ଚିତ ଏମଏସସି ବ୍ୟାଙ୍କ ସ୍କାମ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ଚାର୍ଜିସିଟରେ ଆଶ୍ଚର୍ଯ୍ୟଜନକ ଭାବେ ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନାମ ଉଭାନ ହୋଇଛି । ଏହା ସହ ଚାର୍ଜସିଟରେ ତାଙ୍କ ପତ୍ନୀ ସୁନେତ୍ରଙ୍କ ନାମ ବି ନଥିବା ସୂଚନା ମିଳିଛି । ତେବେ ଚାର୍ଜସିଟରେ କିଛି କମ୍ପାନୀଙ୍କ ନାମ ରହିଥିବା ଜଣାଯାଇଛି ।

ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ବା ଏମଏସସି ବ୍ୟାଙ୍କ ସ୍କାମରେ ସାମିଲ ଥିବା ଅଭିଯୋଗରେ ପୂର୍ବରୁ ଅଜିତ ପାଓ୍ବାର ଓ ପତ୍ନୀ ସୁନେତ୍ରଙ୍କ ମାଲିକାନାରେ ଥିବା ଏକ ଚିନି କଳକୁ ଆଟାଚ୍‌ କରିଥିଲା ଇଡି । ଅଜିତ ଏମଏସସି ବ୍ୟାଙ୍କର ପୂର୍ବତନ ନିର୍ଦ୍ଦେଶକ ଥିବାବେଳେ ଏହି ଦୁର୍ନୀତି ଘଟିଥିଲା । ଜୁଲାଇ ୨୦୨୧ରେ ମହାରାଷ୍ଟ୍ର ସତାରା ଜିଲ୍ଲାରେ ଥିବା ଜରାନ୍ଦେଶ୍ବର ସଖରୀ ସୁଗାର ମିଲସର ଜମି, କୋଠା, ପ୍ଲାଣ୍ଟ ଓ ଯନ୍ତ୍ରପାତିକୁ ଆଟାଚ କରାଯାଇଥିଲା । ଏହାର ଦାମ ମୋଟ ୬୫ କୋଟି ଟଙ୍କା ଥିଲା । ଏହି ସମସ୍ତ ସମ୍ପତ୍ତି ଗୁରୁ କମୋଡିଟି ସର୍ଭିସେସ ପ୍ରାଇଭେଟ ଲିମିଟେଡ ନାମରେ ରହିଥିଲା ।

ପରେ ଇଡି ଜାଣିବାକୁ ପାଇଥିଲା- ଜରାନ୍ଦେଶ୍ବର ସଖରୀ ସୁଗାର ମିଲ୍ସର ଅଧିକାଂଶ ସେୟାର ସ୍ପାର୍କଲିଂ ସଏଲ ପ୍ରାଇଭେଟ ଲିମିଟେଡ ନାମରେ ରହିଛି ଯାହା ଅଜିତଙ୍କ ମାଲିକାନାରେ ଥିଲା । ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଏହି ମିଲ୍ସକୁ ୨୫ ହଜାର କୋଟି ଟଙ୍କା ବେଆଇନ ଭାବେ ପ୍ରଦାନ କରାଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଏହି ଘଟଣାକୁ ନେଇ ମାମଲା ଦାୟର ହେବା ପରେ ଅର୍ଥନୈତିକ ଅପରାଧ ଶାଖା ଜରିଆରେ ତଦନ୍ତ କରିବା ଲାଗି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପରେ ଜଣାପଡିଥିଲା ଗୁରୁ କମୋଡିଟି ସର୍ଭିସେସ କମ୍ପାନୀ ଏକ ଡମି କମ୍ପାନୀ ଥିଲା । ଗତ କିଛିଦିନ ଧରି ଅଜିତ ପାଓ୍ବାର ଏନସିପିର ଧାରାରୁ ବିଚ୍ୟୁତ ହେବା ପରିଲକ୍ଷିତ ହୋଇଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ଦେଖାଯାଉଛି ।