ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ଆଶଙ୍କା, ବିଜେପିରେ ଯୋଗ ଦେଇପାରନ୍ତି ଅଜିତ ପାଓ୍ୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ଆଶଙ୍କା । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଇସ୍ତଫା ଚର୍ଚ୍ଚା ଭିତରେ ରାଜନୀତିକୁ ଦୋହଲାଇ ଦେବା ଭଳି ବୟାନ ରଖିଛନ୍ତି ଏନସିପି ପ୍ରମୁଖ ଶରଦ ପାଓ୍ବାର । ମୁମ୍ବାଇରେ ଆୟୋଜିତ ଯୁବା ମନ୍ଥନ କାର୍ଯ୍ୟକ୍ରମରେ ଯୋଗଦେଇ ଏବେ ରୁଟି ଓଲଟାଇବାର ସମୟ ବୋଲି ପାଓ୍ବାର କହିଛନ୍ତି । ଠିକ୍ ସମୟରେ ରୁଟି ନଓଲଟାଇଲେ ରୁଟି ପୋଡ଼ିଯିବ । ଦଳର ବରିଷ୍ଠ ନେତାମାନେ ଏ ଦିଗରେ କାମ କରନ୍ତୁ ବୋଲି ପାଓ୍ବାର ଆହ୍ବାନ ଦେଇଛନ୍ତି । ପାଓ୍ବାରଙ୍କ ପୁତୁରା ତଥା ଏନସିପି ନେତା ଅଜିତ ପାଓ୍ବାରଙ୍କ ଆଗାମୀ ରାଜନୈତିକ ପଦକ୍ଷେପକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶରଦ ପାଓ୍ବାରଙ୍କ ଏହି ବୟାନ ରାଜନୀତିକୁ ସରଗରମ କରିଛି ।

ଅଜିତ ପାଓ୍ବାର ବିଜେପି ସହ ହାତ ମିଳାଇ ପାରନ୍ତି ବୋଲି କୁହାଯାଉଥିବା ବେଳେ ପୂର୍ବରୁ ଏହି ଆଶଙ୍କାକୁ ଏନସିପି ପ୍ରମୁଖ ଖଣ୍ଡନ କରିସାରିଛନ୍ତି । ସେପଟେ ଆଜି ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏକନେଥ ସିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେ । ଦଳ ଓ ଦଳର କର୍ମକର୍ତ୍ତାଙ୍କୁ ଧୋକା ଦେଇଥିବା ଏକନାଥଙ୍କ ଉପରେ ଖୁବଶୀଘ୍ର ପ୍ରତିଶୋଧ ନିଆଯିବ ବୋଲି ଉଦ୍ଧବ କହିଛନ୍ତି ।