ସାଇରସ୍ ମିସ୍ତ୍ରୀଙ୍କ ସପକ୍ଷରେ NCLATଙ୍କ ରାୟ, ଫେରିପାଇବେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦ

1 min read

ନୂଆଦିଲ୍ଲୀ : ଟାଟା ଗ୍ରୁପର ଅଧ୍ୟକ୍ଷ ପଦକୁ ଫେରିବେ ବିଶିଷ୍ଟ ବ୍ୟବସାୟୀ ସାଇରସ୍ ପି. ମିସ୍ତ୍ରୀ । ଦେଶରେ ବୃହତ୍ତମ କର୍ପୋରେଟ୍ ଯୁଦ୍ଧ କୁହାଯାଉଥିବା ଟାଟା ସନ୍ସ ଓ ମିସ୍ତ୍ରୀ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦରେ ମିସ୍ତ୍ରୀ ପରିବାର ବିଜୟୀ ହୋଇଛି । ଜାତୀୟ କଂପାନୀ ଲ ଆପିଲେଟ୍ ଟ୍ରିବୁନାଲ ଆଜି ସାଇରସ୍ ପି. ମିସ୍ତ୍ରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି । NCLT ବମ୍ବେ ବେଞ୍ଚର ରାୟକୁ ଭୁଲ୍ ଦର୍ଶାଇଛନ୍ତି ଆପିଲେଟ୍ ଟ୍ରିବୁନାଲ । ଟାଟା ଗ୍ରୁପର ଅଧ୍ୟକ୍ଷ ପଦରେ ପୁଣିଥରେ ସାଇରସ୍ ପି ମିସ୍ତ୍ରୀଙ୍କୁ ଅବସ୍ଥାପିତ କରିଛନ୍ତି କୋର୍ଟ ।


୨୦୧୬ ଅକ୍ଟୋବରରେ ଟାଟା ସନ୍ସ ଓ ବୋର୍ଡ ନିର୍ଦ୍ଦେଶକରୁ ସାଇରସଙ୍କୁ ହଟାଇ ଦିଆଯାଇଥିଲା । ଏହାପରେ ୨୦୧୭ ଫେବୃଆରୀ ମାସରେ ଟାଟା କନସଲଟାନ୍ସି ଲିମିଟେଡର ଅଧ୍ୟକ୍ଷ ଥିବା ଏନ. ଚନ୍ଦ୍ରଶେଖରନଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା । ତେବେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତିକୁ ବେଆଇନ୍ ଦର୍ଶାଇଛନ୍ତି ଟ୍ରିବୁନାଲ ।


କମ୍ ଅଂଶଧନ ଥିବା ସେୟାର ହୋଲ୍ଡରଙ୍କ କଥାକୁ ବିଚାରକୁ ନିଆଯାଇନଥିବା କୋର୍ଟ ଜାଣିବାକୁ ପାଇଛନ୍ତି । ୨୦୧୬ରେ ଅଧ୍ୟକ୍ଷ ପଦରୁ ବରଖାସ୍ତ ହେବା ପରେ ସାଇରସ୍ ଏନସିଏଲଟିର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ପରିବାର ଦ୍ୱାରା ପରିଚାଳିତ ଦୁଇଟି ଫାର୍ମ ଫକ୍ଷରୁ ଟାଟା ସନ୍ସ ବିରୋଧରେ ମାମଲା ଦାଖଲ ହୋଇଥିଲା । ବମ୍ବେ ବେଞ୍ଚ ସାଇରସଙ୍କ ଆବେଦନକୁ ଖାରଜ କରିଥିବା ବେଳେ ଆଜି ଆପିଲେଟ୍ ଟ୍ରିବୁନାଲ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ।


ଟାଟା ସନ୍ସ ପକ୍ଷରୁ ଟ୍ରିବୁନାଲଙ୍କ ରାୟ ପରେ ପ୍ରତିକ୍ରିୟା ଆସିଛି । କୁହାଯାଇଛି ଯେ, ନିଜର ନିଷ୍ପତ୍ତି ଓ ମାମଲା ସଂପର୍କରେ ଟାଟା ଗ୍ରୁପ୍ ପାଖରେ ବଳିଷ୍ଠ ପ୍ରମାଣ ଅଛି । ଟ୍ରିବୁନାଲଙ୍କ ରାୟକୁ ତର୍ଜମା ପରେ ଟାଟା ସନ୍ସ ପରବର୍ତ୍ତୀ ନ୍ୟାୟିକ ପଦକ୍ଷେପ ନେବ । ଏଥିରେ ଟାଟାର ଷ୍ଟେକ୍ ହୋଲଡର ବ୍ୟଥିତ ହେବାର ଆବଶ୍ୟକତା ନାହିଁ । ଆଜି ଟ୍ରିବୁନାଲରେ ଏସ.ଜେ ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । ତେବେ ଟାଟା ଫାଉଣ୍ଡେସନର ଅଧ୍ୟକ୍ଷ ରତନ ଟାଟାଙ୍କ ପାଇଁ ଏହା ଶକ୍ତ ଧକ୍କା ବୋଲି କୁହାଯାଉଛି । ସେପଟେ ଟାଟା ସୁପ୍ରିମକୋର୍ଟରେ ଟ୍ରିବୁନାଲଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

Leave a Reply