ଏନସିଇଆରଟିର ଏକାଦଶ ଶ୍ରେଣୀ ବହିରୁ ବାଦ ପଡିଲେ ପ୍ରଥମ ଶିକ୍ଷାମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଏନସିଇଆରଟି ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ବିଷୟରୁ ହଟିଲା ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀଙ୍କ ନାମ । ସ୍ବାଧୀନତା ସଂଗ୍ରାମ ତଥା ଶିକ୍ଷା ସଂସ୍କାର କ୍ଷେତ୍ରରେ ଜଡିତ ମୌଲାନା ଆବୁଲ କଲାମ ଆଜାଦଙ୍କ ନାମ ପାଠ୍ୟପୁସ୍ତକରୁ ବାଦ୍ ପଡିବାକୁ ନେଇ ସୃଷ୍ଟି ହୋଇଛି ବିତର୍କ ।

ପୂର୍ବରୁ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା ଓ ସ୍ବାଧୀନୋତ୍ତର ଭାରତ ଲାଗି ତାଙ୍କର ଅବଦାନ ବିଷୟ ପାଠ୍ୟପୁସ୍ତକରୁ ବାଦ୍ ପଡିଥିଲା । ଏବେ ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଟ ଟ୍ରେନିଂ ବା ଏନସିଇଆରଟିର ଏକାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପୁସ୍ତକରୁ ବାଦ ପଡିଛନ୍ତି ଆଜାଦ । ରାଜନୀତି ବିଜ୍ଞାନ ପୁସ୍ତକର ପ୍ରଥମ ବିଭାଗରେ ଥିବା ’ସମ୍ବିଧାନ- କାହିଁକି ଓ କିପରି’ ବିଷୟର ଏକ ଧାଡିକୁ ବାଦ୍ ଦେଇଛନ୍ତି କମିଟି ।

ଏହି ଧାଡିରେ ମୌଲାନା ଆଜାଦଙ୍କ ନାମ ସ୍ଥାନିତ ଥିଲା । ସେହି ଧାଡ଼ିରେ ଅନ୍ୟ ଯେଉଁମାନେ ସ୍ଥାନିତ ହୋଇଛନ୍ତି ସେମାନେ ହେଲ ଜବାହାରଲାଲ ନେହରୁ, ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ପଟେଲ ଓ ବିଆର ଆମ୍ବେଦକର । ଦେଶର ନୂଆ ସାମ୍ବିଧାନିକ ସଭା ଲାଗି ହୋଇଥିବା ୧୯୪୬ ନିର୍ବାଚନରେ ପ୍ରମୁଖ ଭୂମିକା ନେଇଥିଲେ ଆଜାଦ । ଏହା ସହ ଭାରତ ସହ ଜମ୍ମୁ ଓ କାଶ୍ମୀରର ସର୍ତ୍ତମୂଳକ ମିଶ୍ରଣ ବିଷୟକୁ ମଧ୍ୟ ପାଠ୍ୟପୁସ୍ତକରୁ ବାଦ୍ ଦିଆଯାଇଛି ।