ଡିଭୋର୍ସ ପେପର୍, ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ SC ସାର୍ଟିଫିକେଟ୍ ନେଇ SC-ST ଆୟୋଗରେ ପହଞ୍ଚିଲେ ସମୀର ୱାଙ୍ଖେଡେ
1 min readମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେ ଦିଲ୍ଲୀ ସ୍ଥିତ ଅନୁସୂଚିତ ଜାତି-ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ସେଠାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଦାଖଲ କରିଛନ୍ତି । ପୂର୍ବରୁ ସମୀରଙ୍କ ବିରୁଦ୍ଧରେ କରାଯାଇଥିବା ଅଭିଯୋଗକୁ ନେଇ ତାଙ୍କୁ ହାଜର ହେବାପାଇଁ କୁହାଯାଇଥିବା ବେଳେ ସମସ୍ତ ଦସ୍ତାବିଜ୍ ସହ ଦିଲ୍ଲୀରେ ପହଞ୍ଚିଛନ୍ତି ଏନ୍ସିବି ଅଧିକାରୀ । ସେଠାରେ ସମସ୍ତ କାଗଜପତ୍ର ଦାଖଲ କରିବ ପରେ ବାହାରକୁ ଆସି ସମୀର କହିଛନ୍ତି, ‘ଆବଶ୍ୟକୀୟ କାଗଜପତ୍ର କମିଶନଙ୍କୁ ଦେଇଛି । ସେଗୁଡିକର ଯାଞ୍ଚ କରିବା ପରେ ଅନୁସୂଚିତ ଜାତି-ଜନଜାତି ଆୟୋଗ ରିପୋର୍ଟ ଦେବେ ।’
ଅନୁସୂଚିତ ଜାତି-ଜନଜାତି ଆୟୋଗ ଅଧ୍ୟକ୍ଷ ବିଜୟ ସାଂପଲା କହିଛନ୍ତି, ‘ସମୀର ଓ୍ବାଙ୍ଖେଡେ କାଗଜପତ୍ର ଦାଖଲ କରିଛନ୍ତି । ଏବେ ତାଙ୍କର ସମସ୍ତ ଦସ୍ତାବିଜର ଯାଞ୍ଚ ଜାରି ରହିଛି’ । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ଏନ୍ସିପି ନେତା ନଓ୍ବାବ ମଲିକ, ସମୀର ଓ୍ବାଙ୍ଖେଡେଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ । ନଓ୍ବାବ ମଲିକ ଅଭିଯୋଗ କରିଥିଲେ ଯେ, ସମୀର ଓ୍ବାଙ୍ଖେଡେ ଜଣେ ମୁସଲମାନ । ଜାଲ ଜାତି ପ୍ରମାଣପତ୍ର ଦେଇ ସେ ଚାକିରି କରିଛନ୍ତି । ତେବେ ନଓ୍ବାବ ମଲିକଙ୍କ ଏହି ଅଭିଯୋଗକୁ ଦୃଢତାର ସହ ଖଣ୍ଡନ କରିଥିଲେ ସମୀର ଓ୍ବାଙ୍ଖେଡେ ।
Team VS➡️
नारकोटिक्स कंट्रोल ब्यूरो (NCB) मुंबई के जोनल निदेशक श्री समीर वानखेड़े ने श्री विजय सांपला जी से भेंट कर खुद को प्रताड़ित किये जाने का आरोप लगाया। उन्होंने आशंका जताई है जी उन्हें किसी झूठे केस में फसाने की साजिश की जा रही है। pic.twitter.com/kULcDHkW6o— Vijay Sampla (@thevijaysampla) November 1, 2021
ଦିଲ୍ଲୀ ସ୍ଥିତ ଅନୁସୂଚିତ ଜାତି-ଜନଜାତି ଆୟୋଗ କାର୍ଯ୍ୟାଳୟରେ ପହଞ୍ଚି ଜାତି ପ୍ରମାଣ ପତ୍ର, ପ୍ରଥମ ପତ୍ନୀଙ୍କ ଠାରୁ ହୋଇଥିବା ଛୁଆର ଜନ୍ମ ପ୍ରମାଣପତ୍ର ଏବଂ ଛାଡପତ୍ର ପ୍ରମାଣ ଦାଖଲ କରିଛନ୍ତି । ଏହା ସହିତ ଦ୍ବିତୀୟ ବିବାହର ପ୍ରମାଣପତ୍ର ମଧ୍ୟ ଦାଖଲ କରିଛନ୍ତି ସମୀର ଓ୍ବାଙ୍ଖେଡେ । କମିଶନ ଏବେ ଦସ୍ତାବିଜଗୁଡିକର ଯାଞ୍ଚ କରୁଛନ୍ତି ।
ସୂଚନାଯୋଗ୍ୟ, କ୍ରୁଜ୍ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଛନ୍ତି ସମୀର ଓ୍ବାଙ୍ଖେଡେ । ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଏବେ ଜାମିନରେ ବାହାରକୁ ଆସିଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନକୁ ଜେରା କରୁଥିଲେ ସମୀର । ତେବେ ଏହି ମାମଲାକୁ ନେଇ ତମ୍ବିତୋଫାନ ଲାଗି ରହିଥିଲା । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାବ ମଲିକ, ସମୀର ଓ୍ବାଙ୍ଖେଡେଙ୍କ ଜାତିକୁ ଆକ୍ଷେପ କରିବା ସହିତ ପ୍ରଥମ ପତ୍ନୀଙ୍କୁ ନେଇ ଆରମ୍ଭ କରିଥିଲେ ଘମାସନ । ଏଥିରେ ସଂପୃକ୍ତ ନଥିବା ଏବଂ କୌଣସି ଉପାୟ ନପାଇ ଫସାଇବାକୁ ଉଦ୍ୟମ କରାଯାଉଥିବା କହିଥିଲେ ଏନ୍ସିବି ଅଧିକାରୀ ସମୀର ଓ୍ବାଙ୍ଖେଡେ ।