ପ୍ରସବ କରିନପାରି ଚାଲିଗଲା ମହିଳାଙ୍କ ଜୀବନ, ଚିକିତ୍ସା ଅବହେଳାକୁ ଦାୟୀ କଲେ ପରିବାର ଲୋକେ

ନୟାଗଡ଼ : ପ୍ରସବ କରିନପାରି ଚାଲିଗଲା ମହିଳାଙ୍କ ଜୀବନ । ପିଲା ପେଟରେ ଥାଇ ଗର୍ଭବତୀଙ୍କ ମୃତ୍ଯୁ। ଚିକିତ୍ସା ଅବହେଳାକୁ ଦାୟୀ କଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ । ଯାହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ବାଲୁଗାଁର ସଞ୍ଜୟ କୁମାର ନାୟକଙ୍କ ୨୭ ବର୍ଷୀୟ ପତ୍ନୀ ମମତା ସ୍ୱାଇଁ ପ୍ରସବ ଯନ୍ତ୍ରଣା ହେବାରୁ ମେ’ ୩୧ ତାରିଖ ରାତିରେ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦାୟିତ୍ୱରେ ଥିବା ନର୍ସ ଏବଂ ଡାକ୍ତରମାନେ ଚିକିତ୍ସା କରିବାରେ ବିଳମ୍ବ କରିଥିଲେ । ଦୀର୍ଘ ସମୟ ଧରି ପ୍ରସବ ବେଦନାରେ ଛଟପଟ ହୋଇ ମମତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ।

ବର୍ଷେ ତଳେ ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସ୍ବାସ୍ଥ୍ଯସେବା ଠିକଠାକ ଥିଲା। ସରକାର ପରିବର୍ତ୍ତନ ପରେ ଏବେ ସ୍ଥିତି ବଦଳିଯାଇଛି। ଏହି ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଗର୍ଭବତୀଙ୍କ ମୃତ୍ଯୁକୁ ନେଇ ରବିବାର ମେଡିକାଲରେ ଚାପା ଉତ୍ତେଜନା ଲାଗିରହିଥିଲା । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପାଟିତୁଣ୍ଡ କରିଥିଲେ ଲୋକେ । ନୟାଗଡ଼ ଜିଲ୍ଲାପାଳ ଓ ଅତିରିକ୍ତ ଏସପି ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରତିଶୃତି ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ହସ୍ପିଟାଲ ପରିସରରେ ସଡିପିଓଙ୍କ ନେତୃତ୍ଵରେ ୩ ଜଣ ଇନ୍ସପେକ୍ଟର ଓ ଗୋଟିଏ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୀର୍ଘ ଦିନ ହେବ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଅବହେଳା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ବ ଦେଇନି କି ସ୍ଵାସ୍ଥ୍ୟ ବିଭାଗ ମଧ୍ଯ ନୀରବ। ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।