ଭିଜିଲାନ୍ସ ଜାଲରେ ନୟାଗଡ ଉଠାଜଳସେଚନ ବିଭାଗ ଜେଇ ଗୋପବନ୍ଧୁ ବୋଇତୋଇ

ନୟାଗଡ଼: ଭିଜିଲାନ୍ସ ଜାଲରେ ନୟାଗଡ ଉଠାଜଳସେଚନ ବିଭାଗ ଜେଇ ଗୋପବନ୍ଧୁ ବୋଇତୋଇ ଏବଂ ଠିକାଦାର ଶ୍ରୀକାନ୍ତ ପତି । ବୋରୱେଲ୍ ଖୋଳିବା ପାଇଁ ଠିକାଦାର ମାଧ୍ୟମରେ ୯ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡିବସିଲା ନୟାଗଡ ଭିଜିଲାନ୍ସ  । ରଣପୁର ଅଞ୍ଚଳର ଚାଷୀ ମନୋରଞ୍ଜନ ଦାସ ନିଜ ଜମିରେ ବୋରୱେଲ୍ ଖୋଳିବା ପାଇଁ ନୟାଗଡ ଉଠାଜଳସେଚନ ବିଭାଗରେ ଆବେଦନ କରିଥିଲେ । ଏଥିପାଇଁ  ବିଭାଗୀୟ ଅନୁମତି ମିଳିବା ପରେ ମନୋରଞ୍ଜନ ୨୦ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ତେବେ ବୋରୱେଲ୍ ଖୋଳିବା ପାଇଁ  ଠିକାଦାର ଶ୍ରୀକାନ୍ତଙ୍କ ମାଧ୍ୟମରେ ମନୋରଞ୍ଜନଙ୍କୁ ଜେଇ ଗୋପବନ୍ଧୁ  ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ମନୋରଞ୍ଜନ ନୟାଗଡ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ । ଆଜି ଜେଇଙ୍କ ଅଫିସରେ ମନୋରଞ୍ଜନଙ୍କ ଠାରୁ ଠିକାଦାର ଶ୍ରୀକାନ୍ତ ୯ହଜାର ଟଙ୍କା ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ୯ହଜାରଟଙ୍କା ଜବତ କରିବା ସହ ଉଭୟ ଜେଇ ଏବଂ ଠିକାଦାରଙ୍କୁ ଗିରଫ କରିଛି । ଜେଇ ଗୋପବନ୍ଧୁଙ୍କ ଅଫିସ , ନୟାଗଡର ଭଡାଘର ଏବଂ ଯାଜପୁରର ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି  ।