ନୟାଗଡ଼ ସିରିଜ ଚୋରି: ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର ଜବତ, ୩ ଗିରଫ

1 min read

ନୟାଗଡ଼: ଦେବୋତ୍ତର କଲୋନୀରେ ଘଟିଥିବା ସିରିଜ ଚୋରି ମାମଲାର ପର୍ଦ୍ଦାଫାଶ । ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ସମେତ ଦାମୀ ଗାଡ଼ି, ସ୍କୁଟି ଓ ବାଇକ ଜବତ । ଚୋରିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କଲା ନୟାଗଡ଼ ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରାହୁଲ ଜୈନ ।

ଗିରଫ ଅଭିଯୁକ୍ତ ହେଲେ କଟକ ବୋଇଦେଶ୍ଵର ଥାନା ଖଜୁରିଆପଡ଼ା ଗାଁର ମନୋଜ କୁମାର ସିଂ, ଜୟନ୍ତ କୁମାର ପାଣିଗ୍ରାହୀ ଏବଂ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡୋଲପାଟଣାର ସଦାଶିବ ସିରକି । ସେମାନଙ୍କ ନିକଟରୁ ୨୮୦ ଗ୍ରାମ ସୁନା, ୧୬୦ ଗ୍ରାମ୍ ରୁପା, ଗୋଟିଏ ଟାବଲେଟ୍‌, ଲାପଟପ୍, ତିନିଟି ହାର୍ଡଡିସ୍କ ସମେତ ଗୋଟିଏ ଦାମୀ ବ୍ରିଜା କାର୍, ଦୁଇଟି ବାଇକ୍ ଓ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ କଟକ ଜିଲ୍ଲାର ବିଭିନ୍ନ ଥାନାରେ ବହୁ ମାମଲା ରହିଛି ।

ସୂଚନାଯୋଗ୍ୟ, ନୟାଗଡ଼ ଦେବୋତ୍ତର କଲୋନୀ ଲେନ୍‌-୫ରେ ରହୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଘରୁ ହୋଇଥିଲା ଚୋରି । ଅଭିଯୋଗ ପରେ ଏସପିଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଡକାୟତମାନଙ୍କୁ ଖୋଜା ଯାଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଏହି ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଲେନ୍-୪ରେ ରହୁଥିବା ଶିବ ପ୍ରସାଦ ସାହୁଙ୍କ ଘରୁ ହୋଇଥିବା ଡାକୟତି ମାମଲାରେ ସେମାନଙ୍କର ସମ୍ପୃକ୍ତି ଥିବା ସ୍ଵୀକାର କରିଛନ୍ତି ।