ପରୀ ହତ୍ୟାକାଣ୍ଡ: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ନୟାଗଡ଼: ବହୁ ଚର୍ଚ୍ଚିତ ପରୀ ହତ୍ଯା ମାମଲାର ଆସିଛି ରାୟ । ନୟାଗଡ଼ର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ପୋକ୍ସୋ ଆକ୍ଟ ୩୦୨. ୨୦୧, ୩୬୩ ଅନୁସାରେ ବିଚାର କରାଯାଇ ଅଭିଯୁକ୍ତକୁ ୨୦ ବର୍ଷ ଦଣ୍ଡାଦେଶ ସହ ୬ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅତିରିକ୍ତ ଏକ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦୨୦ ମସିହା ଜୁଲାଇ ୧୪ ତାରିଖରେ   ନୟାଗଡ଼ ନିକଟ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା ।

ଏହି ହତ୍ୟା ଘଟଣାର ତଦନ୍ତ କରିଥିଲା ରାଜ୍ୟ କ୍ରାଇମବ୍ରାଞ୍ଚର ଏସଆଇଟି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ତଦନ୍ତ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତର ସବିଶେଷ ରିପୋର୍ଟ ହାଇକୋର୍ଟରେ ଉପସ୍ଥାପନ କରାଯାଉଥିଲା । ତଦନ୍ତ ନେଇ ହାଇକୋର୍ଟ ସନ୍ତୋଷ ବ୍ୟକ୍ତ କରିଥିଲେ । ଯଦୁପୁର ଗାଁର ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚର ଏସଆଇଟି ଗିରଫ କରି କୋର୍ଟ ଚାଲାଣ କରିବା ସହ ପରବର୍ତ୍ତି ସମୟରେ ଚାର୍ଜସିଟ ଦାଖଲ କରିଥିଲା ।

ବିଭିନ୍ନ ପ୍ରକାର ଚାପର ବଶବର୍ତ୍ତି ହୋଇ ପରୀର ବାପା ମା’ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟ ଏହି ଆବେଦନକୁ ଗ୍ରହଣ କରି ନଥିଲେ । ସୁପ୍ରିମକୋର୍ଟରେ ପରୀର ବାପା ମା’ ସବୁଠୁ ଦାମୀ ଓକିଲ ମହେଶ ଜେଠାମାଲିନୀଙ୍କୁ ନିଯୁକ୍ତ କରିଥିଲେ । ମୃତ ପରୀର ବାପା ମା’ ଗରିବ ହୋଇଥିବା ସତ୍ତ୍ବେ ଏତେ ଦାମୀ ଓକିଲ କିଭଳି ନିଯୁକ୍ତ କଲେ ତାକୁ ନେଇ ସବୁଠି ଭୃକୁଞ୍ଚନ ସୃଷ୍ଟି ହୋଇଥିଲା ।