ଜାଗାବାଡିକୁ କେନ୍ଦ୍ର କରି ଗାଁରେ ବସିଲା କଙ୍ଗାରୁ କୋର୍ଟ
ନୟାଗଡ : ଜାଗାବାଡିକୁ କେନ୍ଦ୍ର କରି ଗାଁରେ କଙ୍ଗାରୁ କୋର୍ଟ । ଗାଁ ଛାଡିବାକୁ ନିଷ୍ପତ୍ତି ନେଲେ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ଜଗନ୍ନାଥ ପ୍ରସାଦ ଫାଣ୍ଡି ଅଧିନ ମହୁଲପଡ଼ା ଗ୍ରାମରେ । ଏହି ଗାଁର ମଞ୍ଜୁବାଳା ପ୍ରଧାନଙ୍କ ପରିବାର ଘର ସମ୍ମୁଖରେ ଥିବା ଏକ ସରକାରୀ ଜାଗାରେ କିଛି ଗଛ ଲଗାଇଥିଲେ । ଗ୍ରାମବାସୀମାନେ ସେହି ଗଛ ଗ କାଟିବାରୁ ମଞ୍ଜୁଲତାଙ୍କ ପରିବାର ପ୍ରଥମେ ତାହାକୁ ବିରୋଧ କରିଥିଲେ । ଏହି ଘଟଣାକୁ ନେଇ ମଞ୍ଜୁଲତା ଏବଂ ଗ୍ରାମବାସୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପ୍ରତିଶୋଧ ପରାୟଣ ହୋଇ ମଞ୍ଜୁଲତାଙ୍କ ପରିବାରଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ପାଇଖାନା ଘର ଭାଙ୍ଗି ଦେଇଥିଲେ ଗ୍ରାମବାସୀ । ଏଥିସହ ଗାଁରେ କଙ୍ଗାରୁ କୋର୍ଟ ବସାଇ ତାଗିଦ କରିବା ସହ ଜରିମାନା ଦେବା ପାଇଁ ଦାବି କରିଥିଲେ । ନଚେତ ଗ୍ରାମରେ ରଖାଇ ନଦେବା ପାଇଁ ଧମକ ଦେଇଥିଲେ । ସେମାନଙ୍କ କଥାରେ ରାଜି ନହେବାରୁ ପରିବାର ବର୍ଗଙ୍କୁ ଗ୍ରାମରୁ ଏବେ ବାସନ୍ଦ କରାଯାଇଥିବା ମଞ୍ଜୁ ଅଭିଯୋଗ କରିଛନ୍ତି । ଗ୍ରାମର କେହି ବ୍ୟକ୍ତି ମଞ୍ଜୁଙ୍କ ପରିବାର ସହ କଥା ହେଲେ କିମ୍ବା ସହଯୋଗର ହାତ ବଢ଼ାଇଲେ ସମ୍ପୃକ୍ତ ବ୍ୟକ୍ତି ଗ୍ରାମକୁ ଜରିମାନା ବାବଦରେ ୫ ହଜାର ଟଙ୍କା ଦେବା ପାଇଁ କଙ୍ଗାରୁ କୋର୍ଟରେ ନିଷ୍ପତି ହୋଇଥିବା ଅଭିଯୋଗ ହୋଇଛି । ନିର୍ଯ୍ୟାତନାର ଶିକାର ହୋଇ ନ୍ୟାୟ ପାଇଁ ପ୍ରଥମେ କାଦୁଆ ଫାଣ୍ଡି ଓ ପରେ ଫତେଗଡ଼ ଥାନାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ଅଭିଯୋଗ ପ୍ରତି ଗୁରୁତ୍ଵ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।