ପରିଚୟ ଖୋଜୁଛି ନୟାଗଡ଼ ଉଷ୍ଣ ପ୍ରସ୍ରବଣ

ନୟାଗଡ଼: ଟକମକ ହୋଇ ଫୁଟୁଛି ପାଣି । ଦେଖିବାକୁ ପର୍ଯ୍ୟଟଙ୍କ ଭିଡ଼। ହେଲେ ଦୁଇଟି ଗାଁର ବିବାଦ ପାଇଁ ଏହି ଏବେ ଅବହେଳିତ । ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ନୀଳକଣ୍ଠପ୍ରସାଦ ମୌଜାରେ ରହିଛି ଏହି ଉଷ୍ଣ ପ୍ରସ୍ରବଣ । ଏହାକୁ ଖୋର୍ଦ୍ଧାର ଅଟ୍ରି ଭଳି ନୟାଗଡ଼ରେ ଉଷ୍ମ ପ୍ରସ୍ରବଣ କୁହାଯାଉଛି । ତେବେ ତରବାଲୁଅ ଗ୍ରାମବାସୀ ଏହି ସ୍ଥାନକୁ ନିଜର ବୋଲି କହୁଥିବା ବେଳେ ନୀଳକଣ୍ଠପ୍ରସାଦ ଗାଁ ଲୋକେ ଏହାକୁ ନିଜ ଅଞ୍ଚଳ ବୋଲି ଦାବି କରୁଛନ୍ତି । ଫଳରେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଏହି ପର୍ଯ୍ୟଟନ ସ୍ଥଳ ।

ପାଦ ଥାପିଲେ ଦୋହଲୁଛି ମାଟି । ଏକାଧିକ ସ୍ଥାନରେ ଟକମକ ହୋଇ ଫୁଟୁଛି ପାଣି । ଖରା ହେଉ କି ବର୍ଷା କି ଶୀତ ସବୁ ବେଳେ ସବୁ ସମୟରେ ଏକାଧିକ କୂଅରୁ ବାଷ୍ପିଭୁତ ହେଉଛି ପାଣି । ବିଶ୍ବାସ ରହିଛି ଏହି ପାଣିରେ ଗାଧୋଇଲେ ଚର୍ମ ରୋଗ ଭଲ ହୋଇଥାଏ ।

ଉଷ୍ଣପ୍ରସବଣର କେନ୍ଦ୍ର, ମାଆ ଅଧିଶ୍ବରୀ କେତକୀ ଦେବୀଙ୍କ ମନ୍ଦିର ନିକଟରେ ରହିଛି । ଦୁଇଟି ଗାଁର ବିବାଦ କାରଣରୁ ଏହି ସ୍ଥାନ ଅବହେଳିତ ହୋଇରହିଛି । ପ୍ରଚାର ପ୍ରସାର ହେଉନଥିବାରୁ ସ୍ଥାନଟିର ବିକାଶ ହେଇପାରୁନାହିଁ । ଉଷ୍ଣପ୍ରସବଣ କେନ୍ଦ୍ରକୁ ଯିବା ପାଇଁ ରାସ୍ତା ନଥିବାବେଳେ ଏହାର ବିକାଶ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ ।

ଏହାକୁ ଓଡ଼ିଶାର ସର୍ବବୃହତ ଉଷ୍ଣପ୍ରସବଣ କେନ୍ଦ୍ର ବୋଲି କହୁଯାଉଛି । ହେଲେ ଗାଁ ବିବାଦରୁ ଅଜି ନିଜର ପରିଚୟ ପାଇଁ ସଂଘର୍ଷ କରୁଛି ନୟାଗଡ଼ ଉଷ୍ଣ ପ୍ରସ୍ରବଣ । ତୁରନ୍ତ ବିବାଦର ସମାଧାନ କରି ଏହାର ଉନ୍ନୟନ କାମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply