ନିର୍ବାଚନ ପାଇଁ ସରଗରମ ନୟାଗଡ ନିର୍ବାଚନ ମଣ୍ଡଳୀ

1 min read

ନୟାଗଡ଼: ସାଧାରଣ ନିର୍ବାଚନ ପାଇଁ ବଢିଚାଲିଛି ରାଜନୈତିକ ଉଷ୍ମତା । ନୟାଗଡ ନିର୍ବାଚନ ମଣ୍ଡଳୀ ରାଜ୍ଯର ବହୁଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ । ନୟାଗଡ ମ୍ଯୁନିସପାଲଟି ଓ ଓଡଗାଁ ଏନଏସି ଏବଂ ୨ଟି ବ୍ଲକ,ନୟାଗଡ ଓ ଓଡଗାଁକୁ ନେଇ ଗଠିତ ନିର୍ବାଚନ ମଣ୍ଡଳୀ । ୨୪୬ଟି ବୁଥରେ ପ୍ରାୟ ୨ଲକ୍ଷ ୧୪ ହଜାର ୬୭୨ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ଯ ନିରୂପଣ କରିବେ । ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ତିନି ଦଳର ନେତା । ଏଥରେ ନିର୍ବାଚନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ । ଭୋଟରଙ୍କ ଦୃଢୋକ୍ତି ବିକାଶ ହିଁ ସାଜିବ ପ୍ରମୁଖ ମୁଦ୍ଦା ।

ନୟାଗଡ଼ ନିର୍ବାଚନ ମଣ୍ଡଳୀ, ରାଜ୍ୟର ଏକ ପ୍ରମୁଖ  ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ଗୋଟିଏ ନୟାଗଡ଼ ମୁନିସିପାଲିଟି  ଓ ଓଡଗାଁ ଏନଏସି ଏବଂ ୨ଟି ବ୍ଲକ, ନୟାଗଡ଼ ଓ ଓଡଗାଁକୁ ନେଇ ଗଠିତ l ଏଠାରେ ଅଛନ୍ତି ୨ଲକ୍ଷ ୧୪ ହଜାର ୬୭୨ ଜଣ ଭୋଟର । ସେଥିମଧ୍ଯରୁ ୧ ଲକ୍ଷ ୧୩ ହଜାର ୩୮୭ ଜଣ ପୁରୁଷ ଭୋଟର ଅଛନ୍ତି । ସେହିଭଳି ମହିଳା ଭୋଟରଙ୍କ ସଂଖ୍ଯା ୧ଲକ୍ଷ ୧ ହଜାର ୨୭୨ ରହିଛି । ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୧୩ ଜଣ ଅଛନ୍ତି । ଏଥର ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ । ଏନେଇ ଜୋରଦାର ଅଣ୍ଟା ଭିଡିଲେଣି ନେତା । ସବୁଦଳର ଆଶାୟୀ ଗାଁକୁ ଗାଁ ବୁଲୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ୬ ରୁ ୬ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଛି ଶାସକ ଦଳ ବିଜେଡି ।

ନୟାଗଡର ବିକାଶ ବିଜେଡିର ବଡ ଅସ୍ତ୍ର । ବିଗତ ୨ ଦଶନ୍ଧିରୁ ଅଧିକ ସମୟ ଧରି ଶାସକ ବିଜେଡି ଅକ୍ତିଆରରେ ରହିଆସିଛି ଏହି କ୍ଷେତ୍ର । ରାଜ୍ୟର ଟାଣୁଆ ବିଜେଡି ନେତା ଅରୁଣ ସାହୁ ବିଗତ ୨୦ ବର୍ଷ ହେବ ବିଧାୟକ ରହି ଆସିଛନ୍ତି । ୨୦୧୯ ନିର୍ବାଚନରେ ୮୧ ହଜାର ୫୪୮ ଭୋଟ ପାଇଥିଲେ ଅରୁଣ । ସେହିପରି ଅରୁଣଙ୍କ ମୁଖ୍ଯ ପ୍ରତିଦ୍ଵନ୍ଦୀ ବିଜେପି ନେତ୍ରୀ ଇରାନୀ ରାୟ ୬୬ ହଜାର ୬୦୦ ଭୋଟ ପାଇଥିଲେ । ସେହିପରି ଭାବେ କଂଗ୍ରେସ ପ୍ରାର୍ଥୀ ମନୋଜ ସାହୁ ମାତ୍ର ୪ ହଜାର ୨୨୧ ଭୋଟ ପାଇଥିଲେ । ନବୀନଙ୍କ ପଞ୍ଚମ ପାଳି ମଧ୍ୟରେ ୪ ଥର ବିଧାୟକ ହେଲେଣି ଅରୁଣ l ୧୯୯୫ ମସିହା ନିର୍ବାଚନରେ ସୀତାକାନ୍ତ ମିଶ୍ର ,୨୦୦୦ ଉପନିର୍ବାଚନରେ ମନ୍ଦାକିନୀ ବେହେରା ଏବଂ ପରେ ଭାଗବତ ବେହେରା ବିଧାୟକ ହୋଇଥିଲେ l ୨୦୦୪ ରୁ ଅରୁଣ ସାହୁ ଲଗାତାର ବିଧାୟକ ହୋଇଆସୁଛନ୍ତି l ସେପଟେ  ଚଳିତ ଥର ବିଜେପି ପକ୍ଷରୁ ଟିକେଟ ପାଇ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ଯୁଷା ରାଜେଶ୍ଵରୀ ସିଂ ବିଜେପି ପ୍ରାର୍ଥୀ ହୋଇଛନ୍ତି । ୨୦୧୯ ନିର୍ବାଚନର ବିଜେପି ପ୍ରାର୍ଥୀନୀ ଥିଲେ ଇରାନୀ ରାୟ l ହେଲେ ଇରାନୀ ଏବେ ବିଜେଡ଼ିରେ ଯୋଗଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ପ୍ରେରିତ ହୋଇ ବିଜେଡ଼ି ଯୋଗଦେବା ପରେ ନୟାଗଡ଼ ବିଜେଡ଼ି ଆହୁରି ସଶକ୍ତ ହୋଇଛି ।

ମୁଖ୍ଯମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ନୟାଗଡରେ ବିକାଶ ଶିଖର ଛୁଇଁଛି । ଶିକ୍ଷା,ସ୍ଵାସ୍ଥ୍ଯ, ଗମନାଗମନ, ପାନୀୟ ଜଳ ଠାରୁ ଆରମ୍ଭ କରି ମନୋରଞ୍ଜନ କ୍ଷେତ୍ରରେ ଉନ୍ନତି ଘଟିଛି । ସେହିପରି ବିଏସକେୱାଇ କାର୍ଡ ଏବଂ ଆହାର କେନ୍ଦ୍ର ଦ୍ଵାରା ଲୋକ ହେଉଛନ୍ତି ଉପକୃତ । ବିଜେଡି ବିକାଶ ଆଦିକୁ ପ୍ରସଙ୍ଗ କରି ଭୋଟ ହାତେଇପାରେ  l ୨୪ କାହାକୁ ମିଳୁଛି ସ୍ପଷ୍ଟ ଜନମତ ତାକୁ ଅପେକ୍ଷା l