ଗ୍ରୀନ୍ କରିଡର ମଧ୍ୟରେ ଶିଶୁକୁ ଏମ୍ସରେ ଭର୍ତ୍ତି କରାଗଲା: ଇଂଲଣ୍ଡ ଓ ଆମେରିକାର ଡାକ୍ତରଙ୍କ ପରାମର୍ଶରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର: ନବଜାତଙ୍କ ପାଇଁ ଗ୍ରୀନ କରିଡର ହେଲା ଟ୍ୱିନ୍ ସିଟି। ମାତ୍ର ୨୦ ମିନିଟରେ କଟକ ଶିଶୁଭବନରୁ ଏମ୍ସରେ ପହଞ୍ଚିଲା ଆମ୍ବୁଲାନ୍ସ। କମିଶନରେଟ ପୋଲିସର ଉଦ୍ୟମରେ ଗ୍ରୀନ କରିଡର କରାଯିବ ସହ ସଫଳତାର ସହ ସ୍ଥାନାନ୍ତର କରାଯାଇଛି। ଏମ୍ସର ଡାକ୍ତର ପଙ୍କଜ ମହାନ୍ତି ନବଜାତଙ୍କ ଚିକିତ୍ସା କରୁଛନ୍ତି। ଲଣ୍ଡନର ଡାକ୍ତର ପ୍ରକାଶ ଦେ, ଡାକ୍ତର ରବିନ ଓ ଆମେରିକାର ଡାକ୍ତର ଦେବାଶିଷ ରାୟଙ୍କ ପରାମର୍ଶ ଅନୁସାରେ ଶିଶୁର ଚିକିତ୍ସା ଚାଲିଛି । ନୟାଗଡ଼ ଶରଣକୂଳର ଛବି ନାଏକ କଟକ ଏସସିବିରେ ଏକାଥରକେ ୪ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ପରବର୍ତ୍ତୀ ସମୟରେ ୩ଜଣ ଶିଶୁକନ୍ୟା ଆଖିବୁଜି ଥିଲେ। ଏସସିବିର ସ୍ୱତନ୍ତ୍ର ଡାକ୍ତରୀ ଦଳ ଛବିଙ୍କ ପ୍ରସବ କରାଇଥିଲେ । ଛବି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ, ତାଙ୍କର ପ୍ରସବଜନିତ ସମସ୍ୟା ଥିଲା। ତାଙ୍କର ଏ ଦୁଃସମୟରେ ସହାୟତା କରିଥିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର । ଘରୋଇ ଆମ୍ବୁଲାନ୍ସ ସହ ଡାକ୍ତରୀ ଦଳର ବ୍ୟବସ୍ଥା କରି କଟକ ଏସସିବି ପଠାଇବା ସହ ଚିକିତ୍ସା ସୁବିଧା କରାଇଥିଲେ। ଏସସିବିରେ ଟେଷ୍ଟ ପରେ ସେ ରକ୍ତଶିକୁଳି, ଜଣ୍ଡିସ ଓ ଆନେମିଆରେ ପୀଡ଼ିତ ଥିବା ଜଣାପଡିଥିଲା ।

ଏଥିସହିତ ପଢ଼ନ୍ତୁ: ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଦାବିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

 

 

Leave a Reply