ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୈନୀ

ଚଣ୍ଡିଗଡ଼: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ହେଲେ ନାୟବ ସିଂ ସୈନୀ । ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ । ଚଣ୍ଡିଗଡ଼ରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀଙ୍କୁ ଶପଥ ପାଠ କରାଇଥିଲେ ।

ନାୟବଙ୍କ ସହ ଅନ୍ୟ ୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୫୪ ବର୍ଷୀୟ ନାୟବ ସିଂ ସୈନୀ ନାରାୟଣଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମିର୍ଜାପୁର ବାସିନ୍ଦା । ସୈନୀ ଚାଷୀ ପରିବାରରୁ ଆସିଛନ୍ତି । ୨୦୧୪ରେ ପ୍ରଥମ ଥର ଲାଗି ଅମ୍ବାଲାର ନାରାୟଣଗଡ଼ ବିଧାନସଭାରୁ ବିଧାୟକ ହୋଇଥିଲେ । ୨୦୧୯ରେ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରତିନ୍ଦ୍ଵନ୍ଦ୍ଵୀକୁ ୩ ଲକ୍ଷ ୮୪ ହଜାରରୁ ଅଧିକ ଭୋଟରେ ହରାଇଥିଲେ ସୈନୀ । ୨୦୨୩ ଅକ୍ଟୋବରରେ ସୈନୀ ହରିୟାଣାର ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଥିଲେ । କୁରୁକ୍ଷେତ୍ର ଆସନରୁ ଲୋକସଭାକୁ ସେ ନିର୍ବାଚିତ ହୋଇଥିଲେ । ୯୦ ଆସନ ବିଶିଷ୍ଠ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ଅଛନ୍ତି । ସରକାରରେ ସଂଖ୍ୟା ଗରିଷ୍ଠତା ଲାଗି ବିଜେପିକୁ ୪୬ ବିଧାୟକଙ୍କ ସମର୍ଥନ ବଜାୟ ରଖିବାକୁ ପଡିବ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପଛୁଆ ବର୍ଗର ଭୋଟରଙ୍କୁ ନିଜ ପକ୍ଷରେ କରିବାକୁ ବିଜେପି ଏହି ରଣନୀତି କରିଥିବା ଚର୍ଚ୍ଚା ହେଉଛି । ଜାଟ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ବିଜେପିର ଏ ଯୋଜନା । ଆଜି ସକାଳେ ମନୋହରଲାଲ ଖଟ୍ଟରଙ୍କ ମୁଖ୍ୟମନ୍ତ୍ରୀ ପଦରୁ  ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନାୟବ ସିଂ ସୈନୀ ।