ଇଞ୍ଜିନିୟର ସ୍ୱାମୀଙ୍କୁ ଅପହରଣ କରିନେଲେ ନକ୍ସଲ, ପିଲାଙ୍କୁ ଧରି ଖୋଜିବାକୁ ଜଙ୍ଗଲ ଆଡ଼େ ବାହାରିଲେ ପତ୍ନୀ

1 min read

ବିଜାପୁର: କଳିଯୁଗର ସାବିତ୍ରୀ, ସ୍ୱାମୀଙ୍କୁ ମରଣ ମୁହଁରୁ ଛଡ଼ାଇବା ପାଇଁ ନିଜ ଜୀବନକୁ ଲଗାଇଲେ ବାଜି । ଛତିଶଗଡ଼ ବିଜାପୁରରେ ଜଣେ ଇଞ୍ଜିନିୟରଙ୍କୁ ନକ୍ସଲବାଦୀମାନେ ଅପହରଣ କରିନେଇଛନ୍ତି। ଆଉ ଏବେ ତାଙ୍କୁ ଖୋଜିବାକୁ ବାହାରିଛନ୍ତି ତାଙ୍କ ପତ୍ନୀ। ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ନିଜ ପିଲାଙ୍କୁ ସାଙ୍ଗରେ ଧରି ଜଙ୍ଗଲ ଆଡ଼କୁ ବାହାରିଛନ୍ତି ।

ସବ୍ ଇଞ୍ଜିନିୟର ଅଜୟ ରୋଶନ ଲକଡ଼ା  ଗୁରୁବାର ଦ୍ୱିପ୍ରହର ୧ଟା ବେଳେ  ଚପରାସୀ ଲକ୍ଷ୍ମଣଙ୍କ ସହ ପରତାଗିରି ଗୋରନା ମନକେଲି କ୍ଷେତ୍ରରେ ଚାଲିଥିବା ରାସ୍ତାକାମର ନିରିକ୍ଷଣ କରିବାକୁ ଯାଇଥିଲେ। ହେଲେ ଅନେକ ସମୟ ପର୍ଯ୍ୟନ୍ତ ମୁଖ୍ୟାଳୟକୁ ଫେରିନଥିଲେ। ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ବହୁତ ଖୋଜିଥିଲେ ହେଲେ କିଛି ବି ସୁରାକ ମିଳିନଥିଲା। ଏହାପରେ ଗାଁ ଲୋକମାନେ ଖବର ଦେଇଥିଲେ ଯେ ସବ୍ ଇଞ୍ଜିନିୟର ଓ ଚପରାସୀଙ୍କୁ କିଛି ଲୋକ ଜଙ୍ଗଲ ଭିତରକୁ ନେିଯାଇଛନ୍ତି । ଏହାପରେ ଜଣାପଡ଼ିଥିଲା ଯେ ନକ୍ସଲମାନେ ଉଭୟଙ୍କୁ ଅପହରଣ କରିନେଇଛନ୍ତି ।  ଇଞ୍ଜିନିୟରଙ୍କ ପତ୍ନୀ ଅର୍ପିତା ଏ ସମ୍ପର୍କରେ ଜାଣିବା ପରେ ସେ ନକ୍ସଲମାନଙ୍କୁ ତାଙ୍କୁ ସ୍ୱାମୀଙ୍କୁ ସକୁଶଳ ଛାଡ଼ିବାକୁ ନିବଦନ କରିଛନ୍ତି।

ଅର୍ପିତା ନକ୍ସଲମାନଙ୍କୁ ନିବେଦନ କରି କହିଛନ୍ତି, ଜଣେ ପତ୍ନୀର ଗୁହାରି ଶୁଣ। ମାନବିକତାର ପରିଚୟ ଦିଅ । ମୋ ସ୍ୱାମୀ ଜଣେ ଭଲ ମଣିଷ। ମୋର ୩ ବର୍ଷର ପୁଅ ଅଛି, ସେ ମଧ୍ୟ ନିଜ ପିତାଙ୍କୁ ଖୋଜୁଛି। ମୋର ନିରୀହ ପୁଅର ମୁଣ୍ଡରେ ପିତାଙ୍କ ଛାୟା ସୁରକ୍ଷିତ ରହୁ, ଏହା ଏକ ମା ଏବଂ ପତ୍ନୀର ନିବେଦନ।’

ସୂଚନା ମୁତାବକ ଚପରାସୀ ଜଣଙ୍କ ନିଜ ଘରକୁ ଫେରିଆସିଛନ୍ତି । ହେଲେ ତାଙ୍କ କହିବା କଥା ଯେ ଉଭୟଙ୍କୁ ଅପହରଣ କରି ଅଲଗା ଅଲଗା ରଖାଯାଇଥିଲା। ଜଙ୍ଗଲ ଭିତରେ ଜନଅଦାଲତ ବସିଥିଲା ଯାହାପରେ ନକ୍ସଲମାନେ ତାଙ୍କୁ ଛାଡ଼ିଦେଇଥିଲେ। ହେଲେ ସବ ଇଞ୍ଜିନିୟରଙ୍କୁ ଏ ପର୍ଯ୍ୟନ୍ତ ଛଡ଼ାଯାଇନି। ପୋଲିସ କହିବା କଥା ଯେ ବର୍ତ୍ତମାନ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି, ସମ୍ଭବତଃ ନକ୍ସଲମାନେ ତାଙ୍କୁ ଦିନେ-ଦୁଇ ଦିନ ଭିତରେ ଛାଡ଼ିଦେଇପାରନ୍ତି। ଅନ୍ୟପଟେ ପତ୍ନୀ ଅର୍ପିତା ମଧ୍ୟ ନିଜ ପିଲାଙ୍କ ସହ ସ୍ୱାମୀଙ୍କୁ ଖୋଜିବାକୁ ଜଙ୍ଗଲ ଅଭିମୁଖେ ବାହାରିଛନ୍ତି।

ସୂଚନା ଅନୁଯାୟୀ, ଗୋରନା ମନକେଲି ନକ୍ସଲମାନଙ୍କ ଆଡାସ୍ଥଳୀ ଭାବରେ ଜଣାଶୁଣା । ଏବଂ ଏହି ଅଞ୍ଚଳରେ କୌଣସି ସରକାରୀ ନିର୍ମାଣକୁ ଜୋରଦାର ବିରୋଧ କରାଯାଉଛି ।  ଏସବୁ ସତ୍ୱେ ସଡ଼କ ନିର୍ମାଣ କାମ ଚାଲୁଥିବାରି ନକ୍ସଲମାନେ  ଉଭୟ କର୍ମଚାରୀଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି।

 

Leave a Reply