ଛତିଶଗଡ଼ରେ ନକ୍ସଲ ଆକ୍ରମଣ : ସହିଦ ଯବାନଙ୍କ ସଂଖ୍ୟା ୨୨,ଏପର୍ଯ୍ୟନ୍ତ ପହଞ୍ଚି ପାରିନି ରେସକ୍ୟୁ ଟିମ୍

ବିଜାପୁର: ଛତିଶଗଡ଼ର ସୁକମା ଓ ବିଜାପୁର ସୀମାସ୍ଥିତ ଟେକଲଗୁଡା ଗାଁ ନିକଟରେ ନକ୍ସଲଙ୍କ ସହିତ ଶନିବାର ଦିନ ହୋଇଥିବା ସଂଘର୍ଷରେ ୨୨ ଜଣ ଯବାନ ସହିଦ ହୋଇଥିବା ଖବର ମିଳୁଛି। ଏହି ଖବରକୁ ନେଇ ସିଆରପିଏଫ୍ ପକ୍ଷରୁ ଆଧିକାରିକ ଭାବେ କିଛି କୁହାଯାଇ ନାହିଁ । ତେବେ କିଛି ମିଡିଆ ରିପୋର୍ଟରେ ଏଭଳି ଦାବି କରାଯାଉଛି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ ସଂଘର୍ଷରେ ୧୬ ଜଣ ଯବାନ ସହିଦ ହୋଇଥିବା ସିଆରପିଏଫ୍ ପକ୍ଷରୁ କୁହାଯାଉଛି । କିନ୍ତୁ ଏକ ଜାତୀୟ ନ୍ୟୁଜ୍ ଚ୍ୟାନେଲ ଅନୁସାରେ ଟେକଲଗୁଡା ଗାଁରେ ୧୦ ଜଣ ଯବାନଙ୍କ ମରଶରିର ପଡ଼ି ରହିଛି।

ଏହି ଚ୍ୟାନେଲ ଅନୁସାରେ ଆକ୍ରମଣକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିନାହିଁ । ଖବର ଅନୁସାରେ ଗାଁରେ ଏବେ ମଧ୍ୟ ନକ୍ସଲ ଉପସ୍ଥିତ ଅଛନ୍ତି। ଗାଁ ମୁଣ୍ଡରେ ଥିବା ଏକ ମହୁଲ ଗଛ ମୁଳରେ ୬ ଜଣ ଯବାନଙ୍କ ମୃତଦେହ ପଡ଼ି ରହିଥିବା ବେଳେ ସେଠାରୁ କିଛି ଦୁରରେ ଆଉ ତିନି ଜଣ ଯବାନ ଓ ପାଖରେ ଥିବା ଗୋଟିଏ ଘର ନିକଟରେ ଗୋଟିଏ ମୃତଦେହ ପଡ଼ି ରହିଛି।
ଗାଁ ଲୋକଙ୍କ ଅନୁସାରେ ଗାଁଠାରୁ କିଛି ଦୁରରେ ଜଙ୍ଗଲ ପାଖେ ଅନ୍ୟ ୧୦ ଜଣ ଯବାନଙ୍କ ମୃତ ଦେହ ପଡ଼ି ରହିଛି। ଶନିବାର ଦିନ ଟେକଲଗୁଡ଼ା ଗାଁରେ ଦୁଇଥର ନକ୍ସଲଙ୍କ ସହିତ ଯବାନଙ୍କ ସଂଘର୍ଷ ହୋଇଥିଲା। ପ୍ରଥମ ଆକ୍ରମଣ ଗାଁ ନିକଟରେ ଥିବା ପାହାଡ଼ ପାଖରେ ହୋଇଥିଲା। ଆହତ ସାଥୀଙ୍କୁ ନେଇ ଯବାନ ଫେରୁଥିବା ବେଳେ ଦ୍ୱିତୀୟ ଆକ୍ରମଣ ହୋଇଥିଲା ।

Leave a Reply