ହ୍ୱାଟସଆପରେ ନୱାଜୁଦ୍ଦୀନ ସିଦ୍ଦୀକୀଙ୍କୁ ତାଙ୍କ ସ୍ତ୍ରୀ ପଠାଇଲେ ଛାଡ଼ପତ୍ର ନୋଟିସ

1 min read

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ନୱାଜୁଦ୍ଦୀନ ସିଦ୍ଦୀକୀ ନିଜ ଫିଲ୍ମ ଏବଂ ଆକ୍ଟିଂକୁ ନେଇ ସବୁବେଳେ ଚର୍ଚ୍ଚା ସାଉଁଟିଥାନ୍ତି । କିନ୍ତୁ ନିକଟରେ ତାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ନୱାଜୁଦ୍ଦୀନ ସିଦ୍ଦୀକୀଙ୍କ ପତ୍ନୀ ଆଲିଆ ସିଦ୍ଦୀକୀ ତାଙ୍କୁ ଛାଡ଼ପତ୍ରର ନୋଟିସ ପଠାଇ ଭରଣ ପୋଷଣ ଏବଂ ଛାଡ଼ପତ୍ରର ଦାବି କରିଛନ୍ତି । ଆଲିଆଙ୍କ (ଅଞ୍ଜଲି) ଓକିଲ ଅଭୟ ସହାୟଙ୍କ ସୂଚନା ମୁତାବକ କରୋନା ଭାଇରସ ମହାମାରୀ ମଧ୍ୟରେ ସ୍ପିଡ୍ ପୋଷ୍ଟର ସୁବିଧା ଉପଲବ୍ଧ ନଥିବାରୁ ନୱାଜୁଦ୍ଦିନଙ୍କୁ ଏହି ନୋଟିସ୍ ଇ-ମେଲ୍ ଏବଂ ହ୍ୱାଟସ୍-ଆପ ଜରିଆରେ ମେ’ ୭ ତାରିଖ ଦିନ ପଠାଯାଇଥିଲା । ତେବେ ମୱାଜୁଦ୍ଦୀନଙ୍କ ତରଫରୁ ଏହି ଇ-ମେଲର କୌଣସି ଉତ୍ତର ମିଳିନଥିବା ଆଲିଆଙ୍କ ଓକିଲ ସୂଚନା ଦେଇଛନ୍ତି ।

ଜଣାଇ ରଖୁଛୁ ଯେ, ନୱାଜୁଦ୍ଦୀନ ଏବଂ ଆଲିଆଙ୍କ ବିବାହ ୨୦୦୯ ରେ ହୋଇଥିଲା ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଏହା ପୂର୍ବରୁ ନୱାଜୁଦ୍ଦୀନଙ୍କ ବିବାହ ଶିୱାଙ୍କ ସହିତ ହୋଇଥିଲା କିନ୍ତୁ ତାଙ୍କ ବିବାହ ଖୁବ କମ ସମୟ ପାଇଁ ଚାଲିଥିଲା ।

 

ଅନ୍ୟପଟେ, ୪୫ ବର୍ଷୀୟ ଅଭିନେତା ନୱାଜୁଦ୍ଦୀନ ସିଦ୍ଦୀକୀ ବର୍ତ୍ତମାନ ନିଜ ପରିବାର ସହ ଅଛନ୍ତି । ସେ ମେ’ ୧୨ ତାରିଖ ରେ ଉତ୍ତର ପ୍ରଦେଶର ବୁଢ଼ାନାକୁ ଚାଲିଯାଇଥିଲେ । ନୱାଜୁଦ୍ଦିନଙ୍କ ସାନ ଭଉଣୀଙ୍କ ଦେହାନ୍ତ ପରେ ତାଙ୍କ ମାଆ ଚିନ୍ତାରେ ରହୁଥିଲେ । ତେଣୁ ତାଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ବୁଝିବା ପାଇଁ ନୱାଜୁଦ୍ଦିନ ଗାଁକୁ ଯାଇଥିଲେ ।

Leave a Reply