ଇମ୍ରାନ ଖାନଙ୍କ ବଡ଼ ଅଭିଯୋଗ: କହିଲେ, ଭାରତ ପାକିସ୍ତାନକୁ ତିନି ଭାଗରେ ବିଭାଜିତ କରିବାକୁ ଚାହୁଁଛି

1 min read

ନୂଆଦିଲ୍ଲୀ: ପାକିସ୍ତାନର ବିରୋଧୀ ଦଳ ପିଏମ୍ଏଲ୍-ଏନ୍ ନେତା ନଓ୍ୱାଜ ସରିଫ୍‌ଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଏଭଳି କି ତାଙ୍କୁ ସେ ଦେଶଦ୍ରୋହୀ ବୋଲି ମଧ୍ୟ ସମ୍ୱୋଧନ କରିଛନ୍ତି  । ନଓ୍ୱାଜ ସରିଫ୍ ସେନା ଏବଂ ସେନା ନେତୃତ୍ୱ ବିରୋଧରେ ବିଦ୍ରୋହ କରିବାକୁ ଉସୁକାଉଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଇମ୍ରାନ୍ । ଏହାଠାରୁ ବଡ଼ ଦେଶଦ୍ରୋହ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେଠାକାର ଜିଏନ୍ଏନ୍ ଟୁଡେ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି, ଭାରତ ପାକିସ୍ତାନକୁ ୩ ଭାଗରେ ବିଭାଜିତ କରିବାକୁ ଚାହୁଁଛି । ମଜବୁତ୍ ସେନା ଯୋଗୁଁ ପାକିସ୍ତାନ ଆଜି ଯାଏଁ ବଞ୍ଚିରହିଛି । ନଚେତ ଇରାକ୍ ଓ ଇରାନ୍ ଭଳି ଆମକୁ ମଧ୍ୟ ଦୁର୍ବଳ କରିସାରିଥାନ୍ତେ । ବିରୋଧୀ ପାର୍ଟି ଭାରତକୁ ସୁହାଇଲା ଭଳି କହୁଥିବା ସେ କହିଛନ୍ତି ।

ଚୋରି କରିଥିବା ଟଙ୍କାରେ ବିଳାସମୟ ଫ୍ଳାଟ୍ କିଣି, ସେଥିରେ ବସି ଜଣେ ବ୍ୟକ୍ତି(ନଓ୍ୱାଜ ସରିଫ୍) ସେନା ଯବାନଙ୍କୁ ସୈନ୍ୟ ନେତୃତ୍ୱ ବିରୋଧରେ ବିଦ୍ରୋହ କରିବାକୁ କହୁଛନ୍ତି । ସେ କୌଣସି ବିଚାରପତିଙ୍କୁ ଭଲ କହୁଛନ୍ତି ତ, ପାନାମା ମାମଲାରେ ତାଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ ଖରାପ କହୁଛନ୍ତି । ସେ ନ୍ୟାୟପାଳିକାରେ ମଧ୍ୟ ବିବାଦ ସୃଷ୍ଟି କରିବାକୁ ଚାହୁଁଛନ୍ତି ।

ଇମ୍ରାନ୍ ଖାନ୍ ନିଜ ସାକ୍ଷାତକାରରେ କହିଛନ୍ତି, ନଓ୍ୱାଜ ସରିଫ୍ ବିଦେଶରେ ଡରୁଆଙ୍କ ଭଳି ବସିଛନ୍ତି । ଏବଂ ନିଜ ସମର୍ଥକଙ୍କୁ ସରକାରଙ୍କ ବିରୋଧରେ ବିଦ୍ରୋହ କରିବାକୁ ଉସୁକାଉଛନ୍ତି । ପିଏମ୍ଏଲ୍-ଏନ୍ ସୁପ୍ରିମୋ ଏବଂ ତାଙ୍କ ଝିଅ ଆରମ୍ଭରୁ ଚୁପ୍ ରହିଲେ, କାହିଁକି ନାଁ ସେ ମୁକ୍ତ ହେବା ପାଇଁ ଚେଷ୍ଟା କରୁଥିଲେ । ଯେତେବେଳେ ତାଙ୍କୁ ଲାଗିଲା ତାଙ୍କ ପାଖରେ ଏବେ କୌଣସି ରାସ୍ତା ନାହିଁ, ସେ ମୋ ଉପରେ ଆରୋପ ଲଗାଇବା ଆରମ୍ଭ କରିଦେଲେ ।

ଏଥିସହିତ ଭାରତରେ ନଓ୍ୱାଜ ସରିଫଙ୍କ ଏତେ ଲୋକପ୍ରିୟତା ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଇମ୍ରାନ୍ ଖାନ୍  । ଯେଉଁ ବ୍ୟକ୍ତି ଜିୟା-ଉଲ୍ଲ-ହକ୍କ କୋଳରେ ବଢ଼ିଛି । ସେ ଅଚାନକ୍ ଲୋକତାନ୍ତ୍ରିକ ହୋଇଯାଇଛି । ଇମ୍ରାନ ଖାନ୍ ଯିଏ ଗ୍ରାଉଣ୍ଡ ଜିରୋରୁ କାମ ଆରମ୍ଭ କରିଛନ୍ତି ଏବଂ ଲୋକଙ୍କ ସମର୍ଥନ ଜୁଟାଇଛନ୍ତି, ସେ ସେନାର ହାତବାରିସି ସାଜିଛନ୍ତି ।

Leave a Reply