ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ବିସ୍ଫୋରକ ବୟାନ
1 min read
ଇସଲାମବାଦ: ସ୍ବଦେଶ ଫେରିବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ବିସ୍ଫୋରକ ବୟାନ । ଭାରତକୁ ଠିକଣା ଜବାବ ଦେବା ଲାଗି ୧୯୯୮ ମସିହାରେ ପାକିସ୍ତାନ କରିଥିଲା ଆଣବିକ ପରୀକ୍ଷା । ଏହି ପରୀକ୍ଷା ନ କରିବା ଲାଗି ତତକାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ପାକିସ୍ତାନକୁ ୫ ବିଲିୟନ ଡଲାର ଯାଚିଥିଲେ ବି ପାକିସ୍ତାନ ୨୮ ମେ ୧୯୯୮ରେ ଆଣବିକ ପରୀକ୍ଷା କରିଥିଲା ବୋଲି କହିଛନ୍ତି ନଓ୍ବାଜ । ଗତକାଲି ୪ ବର୍ଷ ପରେ ଦୁବାଇରୁ ସ୍ବଦେଶ ଫେରିବା ପରେ ପାକିସ୍ତାନ ମୁସଲିମ ଲିଗ-ଏନ ନେତା ନଓ୍ବାଜ ସରିଫଙ୍କ ଏହି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ୧୯୯୮ ମେ ମାସରେ ଭାରତ ଆଣବିକ ପରୀକ୍ଷା କରିଥିବାବେଳେ ଏହାର ଜବାବ ଦେବା ଲାଗି ପାକିସ୍ତାନ ଉଦ୍ୟମ କରିଥିଲା । ତେବେ ଏହି ପରୀକ୍ଷା ନ କରିବା ଲାଗି ପାକିସ୍ତାନ ଉପରେ ବହୁ ଅନ୍ତର୍ଜାତୀୟ ଚାପ ପଡ଼ିଥିଲା । ମାତ୍ର ସମସ୍ତ ଚାପକୁ ପ୍ରତିହତ କରି ପାକିସ୍ତାନ ଏହି ପରୀକ୍ଷା କରିଥିଲା ବୋଲି କହିଛନ୍ତି ସରିଫ ।