ଆସନ୍ତାକାଲି ନୌସେନା ଦିବସରେ ଯୋଗଦେବେ ରାଷ୍ଟ୍ରପତି

1 min read

ପୁରୀ:  ନୌସେନା ଦିବସରେ ଦମ ଦେଖାଇବେ ନୌବୀର । ୩ ବାହିନୀର ରଣ କୌଶଳରେ କମ୍ପିବ ପୁରୀ ବ୍ଲୁଫ୍ଲାଗ ବିଚ୍ । ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପ୍ରଥମେ ସମଙ୍ଗ ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ୱତନ୍ତ୍ର ହେଲିକପ୍ଟର ଅବତରଣ କରିବେ । ସେଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ କାର୍ଯ୍ୟକ୍ରମ ପରେ ପୁରୀ ଭିଆଇପି ରୋଡ ସ୍ଥିତ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟକୁ ଯିବେ l କଲେଜର ୭୫ ତମ ହୀରକ ଜୟନ୍ତୀ ସମାରୋହରରେ ଯୋଗଦେବେ । ପରେ ରାଷ୍ଟ୍ରପତି ରାଜଭବନକୁ ଯିବାସହ ସେଠାରେ ଦ୍ବିପହର ଭୋଜନ କରିସାରି ଅପରାହ୍ନ ପ୍ରାୟ ୩ଟା ୫୦ ସମୟରେ ବ୍ଲୁଫ୍ଲାଗ ବିଚରେ ନୌସେନା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ । ସନ୍ଧ୍ୟା ୫ଟା ୪୫ମିନିଟ ପର୍ଯ୍ୟନ୍ତ ରାଷ୍ଟ୍ରପତି ବ୍ଲୁଫ୍ଲାଗ ବିଚରେ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସ୍ୱତନ୍ତ୍ର କାରକେଡ ରିହର୍ସାଲ କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ସାଧା ପୋଷାକରେ ପୋଲିସ ଫୋର୍ସ ମୁତୟନ ରହିବେ l ସେହିପରି ସମୁଦ୍ରକୁଳ ଅଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ ନେଇ କଟକଣା ଲାଗୁ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି କାନ୍ତିରେ ଶୃଙ୍ଖଳିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି । ସକାଳୁ ଦ୍ୱାର ପିଟା ଯିବା ସହ ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ଶେଷ କରାଯାଇ ଅବକାଶ ବେଶ ଅନୁଷ୍ଠିତ ହେବ l ପ୍ରାୟ ୧୦ ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କ ସମେତ ଅନାନ୍ୟ ସେବାୟତ ସ୍ବାଗତ କରିବା ସହ ପୂଜାରେ ସହଯୋଗ କରିବେ । ଶ୍ରୀମନ୍ଦିର ଭିତରେ ମାଆ ବିମଳା ଓ ଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ନୀଳଚକ୍ରକୁ ମଧ୍ୟ ଦର୍ଶନ କରିବେ । ତେବେ ଆଜି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ଆଲୋଚନା କରାଯାଇନଥିବାରୁ କୌଳିକ ପଣ୍ଡା କ୍ଷୋଭ ପ୍ରକାଶ କରିଛନ୍ତି l