ଜଳ, ସ୍ଥଳ ଓ ଆକାଶ: ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ପାଲଟିଛି ଯୁଦ୍ଧକ୍ଷେତ୍ର
1 min readପୁରୀ: ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଉପରେ ଏବେ ନା କେବଳ ଦେଶ ବରଂ ଅନ୍ୟ ରାଷ୍ଟ୍ରଙ୍କ ନଜର । କାରଣ ଆସନ୍ତା ୪ ତାରିଖରେ ଏହି ବ୍ଲୁ ଫ୍ଲାଗ ବେଳାଭୂମିରୁ ସାରା ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ । ଜଳ, ସ୍ଥଳ ଓ ଆକାଶରେ ନୌସେନାର ଯୋଦ୍ଧା ଯବାନ ଦେଖାଇବେ ସେମାନଙ୍କ ଯୁଦ୍ଧ କଳାକୌଶଳ । ନୌସେନା ଦିବସ ଉପଲକ୍ଷେ ପୁରୀରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ କଟକଣା ଲାଗୁ କରାଯାଇଛି । ସେପଟେ ବେଳାଭୂମିରେ ପରେଡ ସାଙ୍ଗକୁ ବୀର ଯୋଦ୍ଧା ଚଲାଇଛନ୍ତି ଜୋରଦାର ରିହରସାଲ । ମାର୍କୋସ କମାଣ୍ଡୋଙ୍କର ସ୍ୱତନ୍ତ୍ର ଅପେରସନ ସହ ଭିନ୍ନ ଭିନ୍ନ ସମରକୌଶଳ ପ୍ରଦର୍ଶନ ସହ ପଇଁତରା ମାରୁଛି ହେଲିକପ୍ଟର ।
ନୌସେନା ଦିବସ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ୪ରେ ସାରା ଦେଶ ଦେଖିବ ଭାରତୀୟ ବୀରଙ୍କ ପରାକ୍ରମ । ମାର୍କୋସ କମାଣ୍ଡୋଙ୍କ ଯୁଦ୍ଧ କୌଶଳ ସାଙ୍ଗକୁ ମିଲିଟାର ବ୍ଯାଣ୍ଡରେ କମ୍ପିବ ପରିବେଶ । ଡିସେମ୍ବର ୪ ନୌସେନା ଦିବସ ପାଇଁ ପୁରୀରେ ଏବେ ହାଇ ସିକ୍ୟୁରିଟି ବ୍ଯବସ୍ଥା । ବ୍ଲୁ ଫ୍ଲାଗ ବିଚରେ ହେବାକୁ ଥିବା ଏହି ଭବ୍ଯ ରାଷ୍ଟ୍ରୀୟ କାର୍ଯ୍ଯକ୍ରମ ପାଇଁ ପ୍ରଶାସନ ଓ ପୋଲିସ ବାହିନୀ ପ୍ରସ୍ତୁତ ।
କାର୍ଯ୍ଯକ୍ରମରେ ଯୋଗଦେବେ ୩ ସେନାର ମୁଖ୍ଯ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲକ୍ଷ ଲକ୍ଷ ଦର୍ଶକ ଓ ପର୍ଯ୍ୟଟକଙ୍କ ସମାଗମକୁ ନଜରରେ ରଖି ସହରରେ ସ୍ବତନ୍ତ୍ର ଟ୍ରାଫିକ କଟକଣା ଲାଗୁ କରାଯାଇଛି । ୨୦ଟି ଅତିରିକ୍ତ ସ୍ଥାନରେ ଗାଡି ପାର୍କିଂ ବ୍ୟବସ୍ଥା ସହ ମୁତୟନ ହେବେ ୮୫ ପ୍ଲାଟୁନ ପୋଲିସ ଫୋର୍ସ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା l
ପୁରୀ ସମୁଦ୍ର ତଟରେ ନୌସେନାର ଅନେକ ଯୁଦ୍ଧ ଜାହାଜ ପହଁଚି ସାରିଥିବା ବେଳେ ଅଭ୍ଯାସ ଓ ପରେଡରେ ଦୁଲୁକୁଛି ବିଚ୍ । ପ୍ରତିଦିନ ସମରାଭ୍ଯାସ ସାଙ୍ଗକୁ ଗର୍ଜୁଛି ଟ୍ଯାଙ୍କ ଓ ଫୁଟୁଛି ମାର୍କୋସ କମାଣ୍ଡୋଙ୍କ ଗୁଳି । ଏହାକୁ ଦେଖିବାକୁ ଲୋକଙ୍କ ମଧ୍ଯରେ ଉତ୍କଣ୍ଠା ବଢିବାରେ ଲାଗିଛି । ହେଲିକପ୍ଟର ଯୋଗେ ଫ୍ଲାଗ ଫରମେସନଠାରୁ ଆରମ୍ଭ କରି ଯବାନମାନଙ୍କୁ ଗଭୀର ସମୁଦ୍ରରେ ଅବତରଣ ସହ ରେସ୍କୁର ଦୃଶ୍ୟ ଦର୍ଶକଙ୍କୁ ଆଚମ୍ବିତ କରୁଛି । ନୌସେନା ଦିବସରେ ଭିନ୍ନ ଭିନ୍ନ ୨୦ ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପଦର୍ଶନ କରିବେ ଯବାନ ।