କେଜ୍ରିଓ୍ବାଲଙ୍କ ଘର ଆଗରେ ସିଦ୍ଧୁଙ୍କ ଧାରଣା: ପଚାରିଲେ ‘କେଉଁଠି ଅଛ ଗୁରୁ ?’

ନୂଆଦିଲ୍ଲୀ: ୨୦୨୩ରେ ପଞ୍ଜାବ ବିଧାନସଭା ନିର୍ବାଚନ । ହେଲେ ଏବେଠୁ ଚୌକି ହାତେଇବାକୁ ଜବରଦସ୍ତ ଫାଇଟ । ସରକାର ବଞ୍ଚାଇବାକୁ ପଞ୍ଜାବ ସରକାର ସବୁ ବଳ ଖଟାଇ ଦେଇଥିବା ବେଳେ ଚୌକି ହାତେଇବା ପାଇଁ ଆମ ଆଦମୀ ପାର୍ଟି ମୈଦାନକୁ ଓହ୍ଲାଇ ସାରିଛି । ଆରୋପ, ପ୍ରତ୍ୟାରୋପରେ ଉଷ୍ମ ହେବାରେ ଲାଗିଛି ପଞ୍ଜାବ ରାଜନୈତିକ ପାଣିପାଗ । ଶିକ୍ଷକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଓ ଆପ୍ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାସାନ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବର ମୋହାଲିରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦାବି ଉଠାଇବା ସହ ବିକ୍ଷୋଭ ପ୍ରର୍ଦଶନ କରିଥିଲେ । ଏବେ ଯେସାକୁ ତେସା ନୀତି ଅବଲମ୍ବନ କରିଛି କଂଗ୍ରେସ । ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତି ସିଂ ସିଦ୍ଧୁ ଦିଲ୍ଲୀର ଅତିଥି ଶିକ୍ଷକଙ୍କୁ ନେଇ କେଜ୍ରିଓ୍ବାଲଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ।

ରବିବାର ସିଦ୍ଧୁ ଦଳବଳ ସହ କେଜ୍ରିଓ୍ବାଲଙ୍କ ଘର ପାଖରେ ପହଞ୍ଚି ଧାରଣାରେ ବସିବା ସହ ନିଜ ଷ୍ଟାଇଲରେ ପଚାରିଛନ୍ତି ‘କେଉଁଠି ଅଛ ଗୁରୁ ?’ ସେ କହିଛନ୍ତି, ‘କେଜ୍ରିଓ୍ବାଲ ସାହେବ ପଞ୍ଜାବ ଆସି ଭାଷଣ ଝଡୁଥିଲ । ନିଜ ରୋଗ ବଢ଼ିବାରେ ଲାଗିଛି, ଅନ୍ୟଙ୍କୁ ଔଷଧ ବାଣ୍ଟୁଛ । ’

ଏତିକିରେ ସିଦ୍ଧୁ ଅଟକି ନଥିଲେ । ‘ଭୋଲେ ସୁରତ ଦିଲ୍ କେ ଖୋଟେ, ନାମ ବଡେ ଔର୍ ଦର୍ଶନ ଛୋଟେ…’ ଗୀତ ଗାଇ କେଜ୍ରିଓ୍ବାଲଙ୍କ ପଞ୍ଜାବ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଦାବିକୁ ନେଇ ରାଜନୀତି କରିବା ଉପରେ କଟାକ୍ଷ କରିଥିଲେ । ଦିଲ୍ଲୀର ୨୨ ହଜାର ଅତିଥି ଶିକ୍ଷକ ରାସ୍ତା ଉପରେ ଆନ୍ଦୋଳନ କରୁଥିବା ବେଳେ  ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ସ୍ଥାୟୀ ନିଯୁକ୍ତି ଦାବିରେ ଅଖିଳ ଭାରତୀୟ ଅତିଥି ଶିକ୍ଷକ ଆସୋସିଏସିନ ଦିଲ୍ଲୀରେ ଆନ୍ଦୋଳନ କରୁଛି । ସଂଗଠନ ଦାବି ଅନୁସାରେ ଅତିଥି ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ୭ ବର୍ଷ ପୂର୍ବେ ଦିଲ୍ଲୀ ସରକାର ୩ ଥର ପ୍ରତିଶ୍ରୁତି ଦେଇଥିଲେ, ଯାହା ଆଜି ପର୍ଯ୍ୟନ୍ତ ପୂରଣ କରିନାହାନ୍ତି । କରୋନା ଆସିବା ପରେ ଅତିଥି ଶିକ୍ଷକଙ୍କ ସ୍ଥିତି ବହୁତ ଖରାପ ହୋଇଯାଇଛି ।

ସଂଗଠନ ସଭାପତି ଅରୁଣ ଡେଢା କହିଛନ୍ତି, ‘ଅରବିନ୍ଦ କେଜ୍ରିଓ୍ବାଲ କିଛିଦିନ ପୂର୍ବେ ପଞ୍ଚାବରେ କହିଥିଲେ ଅସ୍ଥାୟୀ ଶିକ୍ଷକଙ୍କୁ ସ୍ଥାୟୀ କରିବା ବହୁତ ଛୋଟ କାମ । କେଜ୍ରିଓ୍ବାଲଙ୍କ ଏହି ମନ୍ତବ୍ୟ ପରେ ଦିଲ୍ଲୀର ୨୨ ହଜାର ଅତିଥି ଶିକ୍ଷକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା । ଯେପର୍ଯ୍ୟନ୍ତ ଅତିଥି ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତଙ୍କୁ ସମାନ କାମ ସମାନ ଦରମା ଅନୁସାରେ ଦରମା ଦିଆଯାଉ ।’

 

Leave a Reply