ଜେଲରେ କିରାଣୀ କାମ କରିବେ ନବଜୋତ ସିଂ ସିଦ୍ଧୁ, ଦୁଇଟି ସିପ୍ଟରେ କରିବେ ଡ୍ୟୁଟି

ଚଣ୍ଡିଗଡ଼: ଠିକଣା ବଦଳିବା ପରେ ବଦଳିଛି ପ୍ରଫେସନ । ପୂର୍ବତନ କ୍ରିକେଟରରୁ ପଞ୍ଜାବ ପଲିଟିକ୍ସର ବଡ଼ ଚେହେରା ଆଉ ଏବେ ଏବେ ଜେଲର କିରାଣି । ୩୪ ବର୍ଷ ତଳର ରୋଡରେଜ୍ ମାମଲାରେ ବର୍ଷେ ଜେଲଦଣ୍ଡ ପରେ ବଦଳିଛି ସିଦ୍ଧୁଙ୍କ ଲାଇଫ ଷ୍ଟାଇଲ । ପଟିଆଲା ସେଣ୍ଟ୍ରାଲ ଜେଲରେ କିରାଣି କାମ ପାଇଁ ସିଦ୍ଧୁଙ୍କୁ ଦିନକୁ ମିଳିବ ମାତ୍ର ୯୦ ଟଙ୍କା ଦରମା । ୧୯୮୮ ମସିହା ରୋଡରେଜ୍ ମାମଲାରେ ବର୍ଷେ ଜେଲ ଦଣ୍ଡ ପରେ ପଟିଆଲା ସେଣ୍ଟ୍ରାଲ ଜେଲରେ ଅଛନ୍ତି ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ବାରାକ ନମ୍ବର ୭ରେ କଏଦୀ ସାଜିଛନ୍ତି ସିଦ୍ଧୁ ।

ପ୍ରଥମ ତିନି ମାସ ସିଦ୍ଧୁଙ୍କୁ ଜେଲ ଅଫିସିଆଲ କାଗଜପତ୍ର କରିବା ପାଇଁ ତାଲିମ  ଦିଆଯିବ । ଜେଲ ନିୟମ ଅନୁସାରେ ତାଙ୍କୁ ପ୍ରଥମ ତିନି ମାସ ଦରମା ଦିଆଯିବ ନାହିଁ । ଏହାପରେ ତାଙ୍କୁ ଦୈନିକ ୪୦ରୁ ୯୦ ଟଙ୍କା ମଧ୍ୟରେ ଦରମା ଦିଆଯିବ । ତାଙ୍କ ଦକ୍ଷତା ଆଧାରରେ ଦରମା ନିର୍ଦ୍ଧାରଣ କରାଯିବ । ଏହାସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦରମା ପଠାଯିବ । ତେବେ ପଟିଆଲା ସେଣ୍ଟ୍ରାଲ ଜେଲରେ ସିଦ୍ଧୁ ଜଣେ ହାଇପ୍ରୋଫାଇଲ କଏଦୀ ହୋଇଥିବାରୁ ସେ ତାଙ୍କ ସେଲରୁ ହିଁ ଫାଇଲ କାମ କରିବେ ବୋଲି ଜେଲର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ଦିନକୁ ଦୁଇଟି ସିଫ୍ଟରେ କାମ କରିବେ । ସକାଳ ୯ଟାରୁ ୧୨ ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ରହିବ ଡ୍ୟୁଟି ଟାଇମ । ସିଦ୍ଧୁ ରହୁଥିବା ବାରାକର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ୫ ଜଣ ଓ୍ୱାଡେନ ଓ ଚାରି ଜଣ ଜେଲ ଅନ୍ତେବାସୀ ସିଦ୍ଧୁଙ୍କ ଉପରେ ନଜର ରଖିଛନ୍ତି ।