ରୋଡ ଶୋ’ କରି ନିବେଶକଙ୍କୁ ନିମନ୍ତ୍ରଣ ଦେବେ ନବୀନ

ଭୁବନେଶ୍ବର: ଆସନ୍ତା ୧୪ ତାରିଖ ସଂଧ୍ୟାରେ ମୁମ୍ବାଇରେ ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ । ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତି ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିବେ। ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ସମ୍ମିଳନୀରେ ଶିଳ୍ପପତିମାନଙ୍କ ସହ ରାଜ୍ୟ ସରକାର ବିସ୍ତୃତ ଆଲୋଚନା କରିବେ ।

ଓଡ଼ିଶାରେ ବିଶେଷକରି ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ସେନେଇ ନିବେଶକାରୀଙ୍କ ଅବଗତ କରାଇବେ। ଏଥିପାଇଁ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ୩ ଦିନିଆ ମୁମ୍ବାଇ ଗସ୍ତରେ ଯିବେ।

ସେଠାରେ ପୁଞ୍ଜିପତିଙ୍କ ସହ ଆଲୋଚନା କରିବେ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି। ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ବରରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିଲାଗି ଦେଶର ବିଭିନ୍ନ ରାଜ୍ୟର ରାଜଧାନୀରେ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ ଶୋ ଓ ନିବେଶକ ସମ୍ମିଳନୀ କରାଯାଉଛି। ଏହାପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ ସଫଳତାର ସହ କରାଯାଇଛି  ।