ବକେୟା ପାଉଣା ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ ନବୀନ
1 min readନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ୫ଦିନିଆ ଦିଲ୍ଲୀ ଗସ୍ତର ଆଜି ହେଉଛି ଚତୁର୍ଥ ଦିନ। ଆଜି ରାଜ୍ୟର ସ୍ୱାର୍ଥ ନେଇ କେନ୍ଦ୍ର ସହ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା ରହିଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ଦାବି ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବକେୟା ପାଉଣା ସହ ପଡିରହିଥିବା ପ୍ରକଳ୍ପ ବାବଦରେ ନବୀନ ଦାବି କରିବା ନେଇ ସୂଚନା ମିଳିଛି।
ରିପୋର୍ଟ ଅନୁଯାୟୀ, କୋଇଲା ରୟାଲିଟି, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମୁଦ୍ର ଉପକୂଳରେ ସ୍ଥାୟୀ ପ୍ରତିକାର, ରେଳବାଇ କ୍ଷେତ୍ରରେ ଚରମ ଅବହେଳା, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଧାନ କିଣା ପାଇଁ ଅର୍ଥ ଠିକ୍ ସମୟରେ ନଦେବା, ବଳକା ଚାଉଳ ସଂଗ୍ରହ ନ କରିବା, ଚାଷୀଙ୍କ ବୀମା ରାଶି ନ ମିଳିବା, ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀ ଦାବି ଉଠାଇବେ। ପକ୍କାଘର ବ୍ୟବସ୍ଥାରେ ବି ଟାଳଟୁଳ ନୀତି ଆପାଣାଉଛନ୍ତି କେନ୍ଦ୍ର ସରକାର । ରାଜ୍ୟର କୋଟାକୁ କାଟିଦେବା, ବିଭିନ୍ନ ଆଳ କରି ଓଡ଼ିଶାର ହିତାଧିକାରୀଙ୍କୁ ପକ୍କାଘରରୁ ବଂଚିତ କରିବା ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ନବୀନ ।
ଏହା ବ୍ୟତୀତ ଗଞ୍ଜାମର ଗୋପାଳପୁରରୁ ବାଲେଶ୍ୱରର ଦୀଘା ପର୍ଯ୍ୟନ୍ତ ସମୁଦ୍ର କୂଳେକୂଳେ କୋଷ୍ଟାଲ ହାଇୱେର ବାସ୍ତବ ରୂପ ନେଇ ମଧ୍ୟ ଆଲୋଚନା କରାଯିବା ନେଇ ଜଣାପଡିଛି। ଆଲୋଚନା ବେଳେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର କଥାକୁ ନବୀନ ଉତ୍ଥାପନ କରିବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ଯୋଜନାରେ ଧାର୍ଯ୍ୟ ଟଙ୍କା ଦେଉନି କେନ୍ଦ୍ର । ଏପରିକି ୧୨ଟି ବିଭାଗର ୪ହଜାର ୬୨୫ କୋଟି ଟଙ୍କା ବାକି ପଡ଼ିଛି । ଏ ନେଇ ମଧ୍ୟ ନବୀନ ଧ୍ୟାନ ଆକର୍ଷଣ କରିପାରନ୍ତି। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।
[DISPLAY_ULTIMATE_SOCIAL_ICONS]