ରୋଡ ଶୋ’ ବେଳେ ଉଦବୋଧନ ବନ୍ଦ କରି ଆମ୍ବୁଲାନ୍ସକୁ ବାଟ ଛାଡିଲେ ନବୀନ

ଭୁବନେଶ୍ବର: ଦେଶର ଯେକୌଣସି ନେତାଙ୍କ ଠାରୁ ନବୀନ ପଟ୍ଟନାୟକ ଭିନ୍ନ । ଏହା ଆମେ କହୁନାହୁଁ, ଏହା ତାଙ୍କ ବ୍ୟବହାର ଓ ତାଙ୍କ କାମ କହୁଛି । ଆଜି ରାଜଧାନୀରେ ରୋଡ ଶୋ’ ବେଳେ ମୁଖ୍ୟମନ୍ତ୍ରୀ ଯେଉଁ ମହାନତା ଦେଖାଇଥିଲେ, ତାହା ପୁଣି ଥରେ ପ୍ରମାଣିତ କରିଛି ନବୀନ ପଟ୍ଟନାୟକ ସମସ୍ତଙ୍କଠାରୁ ଅଲଗା । ରୋଡ ଶୋ’ରେ ନବୀନ ଉଦବୋଧନ ବନ୍ଦ କରି ଏକ ଆମ୍ବୁଲାନ୍ସକୁ ଯିବାକୁ ବାଟ ଦେଇଛନ୍ତି । ଯାହା ତାଙ୍କ ବିଶାଳ ହୃଦୟକୁ ଦର୍ଶାଉଛି ।

ନବୀନ କାହିଁକି ଏକ ନମ୍ବର ? ନବୀନଙ୍କୁ କାହିଁକି ଲୋକ ଏତେ ଭଲ ପାଆନ୍ତି ? ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି, ତା’ର ଉତ୍ତର କଥାରେ ନୁହେଁ ନବୀନଙ୍କ କାମ, ଆଚାର ବ୍ଯବହାର ଓ ଚିନ୍ତାଧାରାରୁ ହିଁ ପ୍ରମାଣିତ ହୁଏ । ଭୁବନେଶ୍ବର ମଧ୍ଯ ନିର୍ବାଚନ ମଣ୍ଡଳୀରେ ରୋଡ ଶୋ’ ପାଇଁ ଗଙ୍ଗନଗରଠାରେ ନବୀନଙ୍କ ଗାଡି ପହଞ୍ଚିଥିଲା । ନବୀନ ଗାଡ଼ି ଉପରକୁ ଉଠି ସେଠାରେ ସମବେତ ହଜାର ହଜାର ଲୋକଙ୍କୁ ଉଦବୋଧନ ଦେବା ଆରମ୍ଭ କରିଥିଲେ । ରାସ୍ତା ଖଚାଖଚ ଭିଡ ଥିଲା । ଏକ ପ୍ରକାର ଟ୍ରାଫିକ୍ ଜାମ୍ ଅବସ୍ଥା । ମୁଖ୍ଯମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ ଗତକାଲିଠାରୁ କମିଶନରେଟେ ପୋଲିସ୍ ଆଡଭାଇଜରୀ ଜାରି କରିଥିଲା । ସ୍ବତନ୍ତ୍ର ରୁଟ୍ ପ୍ଲାନ୍ ମଧ୍ଯ ଘୋଷଣା କରିଥିଲା । ଫଳରେ ରୋଡ ଶୋ’ ବେଳକୁ ଏହି ରାସ୍ତାରେ ସାଧାରଣ ଲୋକ ଓ ଯାନବାହାନ ଯାତାୟତ ବନ୍ଦ ଥିଲା । କିନ୍ତୁ ମୁଖ୍ଯମନ୍ତ୍ରୀ ଉଦବୋଧନ ଆରମ୍ଭ କରିଛନ୍ତି କି ନାହିଁ ପଛରୁ ଶୁଭିଲା ଆମ୍ବଲାନ୍ସର ସାଇରନ୍ । ମୁଖ୍ଯମନ୍ତ୍ରୀ ଉଦବୋଧନ କିଛି କ୍ଷଣ ପାଇଁ ବନ୍ଦ କରି ଦେଲେ । ହାତ ହଲାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡିବାକୁ ଇଶାରା ଦେଲେ । ତାଙ୍କ ଇଶାରା ପାଇବା ମାତ୍ରେ ଲୋକେ ଆଡେଇ ହୋଇଗଲେ ଓ ପୋଲିସ୍ ମଧ୍ଯ କର୍ଡନ କରି ଆମ୍ବୁଲାନ୍ସକୁ ବାଟି କଢାଇ ନେଲା । ଏତେ ଭିଡ଼ ରୋଡ ଶୋ’ରେ ମଧ୍ଯ ଆମ୍ବୁଲାନସଟି ଗୋଟିଏ ସେକେଣ୍ଡ ନଅଟକି ନିଜ ଗନ୍ତବ୍ଯ ପଥରେ ଚାଲି ଯାଇଥିଲା । ଏହା ହିଁ ନବୀନଙ୍କ ଉଦାରତାର ବଡ଼ ଉଦାହରଣ । ଆଉ ଏଇଥି ପାଇଁ ନବୀନ ହେଉଛନ୍ତି ଅନ୍ଯମାନଙ୍କ ଠାରୁ ନିଆରା ଓ ଏକ ନମ୍ବର ।