୨୦୨୩ ପୁଞ୍ଜି ନିବେଶରେ ସାରା ଦେଶରେ ପ୍ରଥମ ଓଡ଼ିଶା, ଖୁସି ପ୍ରକାଶ କଲେ ନବୀନ

ଭୁବନେଶ୍ବର: କେବଳ ଶିଳ୍ପ ଅଭିବୃଦ୍ଧି ନୁହେଁ, ନିବେଶ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସାରା ଦେଶରେ ଏକ ନମ୍ବର ସ୍ଥାନ ଦଖଲ କରିଛି। ୨୦୨୩ ମସିହାରେ ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ୨୦୨୩ ବର୍ଷରେ ସାରା ଦେଶର ବିଭିନ୍ନ ରାଜ୍ୟକୁ ୫ ଲକ୍ଷ ୧୦ ହଜାର ୮୫୨ କୋଟି ନିବେଶ ପ୍ରସ୍ତାବ ଆସିଥିବା ବେଳେ, ଏଥିରୁ ଓଡ଼ିଶାକୁ ସର୍ବାଧିକ ୨ ଲକ୍ଷ ୧୦ ହଜାର ୮୩୭ କୋଟି ଟଙ୍କାର ପ୍ରସ୍ତାବ ମିଳିଛି। ଯାହା ମୋଟ ନିବେଶ ପ୍ରସ୍ତାବର ପ୍ରାୟ ୪୦%।

ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କ୍ଷେତ୍ରରେ ସିଂହଭାଗ ହୋଇଥିବା ବେଳେ, ଅନ୍ୟ ରାଜ୍ୟମାନେ ଏହାଠାରୁ ବହୁ ପଛରେ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରିପୋର୍ଟକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଏକ୍ସରେ ନବୀନ ଟ୍ୱିଟ୍ କରି କହିଛନ୍ତି ଯେ, ସାରା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ପୁଞ୍ଜି ନିବେଶ ପ୍ରସ୍ତାବ ୨୦୨୩ ମସିହା କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିବା ଗୌରବର ବିଷୟ।

ନିବେଶକମାନେ ଅଭିବୃଦ୍ଧିର ସମ୍ଭାବନାକୁ ଆହୁରି ବ୍ୟାପକ କରି ପୁଞ୍ଜି ନିବେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଓଡ଼ିଶା ଉପରେ ନିରନ୍ତର ବିଶ୍ୱାସ ରଖି ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଏବଂ ସମ୍ମାନ ଜଣାଉଛି ବୋଲି ଉଲ୍ଲେଖ କରିଛନ୍ତି। ଓଡ଼ିଶା ପରେ ନିବେଶ କ୍ଷେତ୍ରରେ ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି।  ସାରା ଦେଶର ମୋଟ ନିବେଶ ପ୍ରସ୍ତାବର ୧୨% ଗୁଜରାଟ ଭାଗରେ ପଡ଼ିଛି।

ଗୁଜରାଟକୁ ୨୦୨୩ରେ ମୋଟ ୬୨ ହଜାର ୫୩୫ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମିଳିଛି। ସେହିପରି ତୃତୀୟ ସ୍ଥାନରେ ଥିବା ମହାରାଷ୍ଟ୍ରକୁ ୫୯ ହଜାର ୫୫୧ କୋଟି ଟଙ୍କାର ପ୍ରସ୍ତାବ ମିଳିଥିବା ବେଳେ, ମଧ୍ୟପ୍ରଦେଶକୁ ୨୨ ହଜାର ୧୬୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଅନୁରୂପ ଭାବରେ ୨୦୨୩ରେ ତେଲେଙ୍ଗାନାକୁ ୧୩ ହଜାର ୨୪୨ କୋଟି, ଆନ୍ଧ୍ରପ୍ରଦେଶକୁ ୧୨ ହଜାର ୨୩୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ୨୦୨୩ ମସିହାରେ ନିବେଶ ସଂକ୍ରାନ୍ତ ମୋଟ ୧୨୬୭ଟି ଇଣ୍ଟଷ୍ଟ୍ରିଆଲ ଏଣ୍ଟରପ୍ରିନର ମେମୋରେଣ୍ଡମ୍ସ ଦାଖଲ ହୋଇଥିବା ବେଳେ, ଏଥିରୁ ଅଧିକାଂଶ ଓଡ଼ିଶା ପାଇଁ ଥିଲା। ସେହିପରି ୨୦୨୩ ମସିହା ଡିସେମ୍ବର ମାସରେ ଦେଶକୁ ମୋଟ ୧୨ ହଜାର ୨୭୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ବେଳେ, ଓଡ଼ିଶାକୁ ଏଥିରୁ ସର୍ବାଧିକ ୪୦% ପ୍ରତିଶତ ଅର୍ଥାତ୍ ୫ ହଜାର ୮୧ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ଜଣାପଡ଼ିଛି।