ଏବେବି ବିଜେଡି ଓଡ଼ିଶାର ଏକ ନମ୍ବର ଦଳ : ନବୀନ

ଭୁବନେଶ୍ବର : ପୁଣ୍ଯାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଆରମ୍ଭ ହୋଇଛି ବିଜେଡିର ସଦସ୍ଯ ସଂଗ୍ରହ ଅଭିଯାନ । ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ନବୀନ ବିଜେଡିର ପ୍ରଥମ ସଦସ୍ୟ ହୋଇଛନ୍ତି । ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସେ ଏହି ସଦସ୍ୟତା ଗ୍ରହଣ କରିଛନ୍ତି । ନବୀନଙ୍କୁ ସଦସ୍ୟ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଉଭୟ ଅନଲାଇନ ଓ ମାନୁଆଲି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ।

ଏହି ଅବସରରେ ସେ କହିଛନ୍ତି, ଆଜି ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ, ତ୍ୟାଗ ଓ ସେବାର ପ୍ରତୀକ । ଆଜିଠାରୁ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ ହେଲା । ଏହା ଏକ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାମ । ଯାହା ଦଳକୁ ମଜବୁତ କରେ । ସଦସ୍ୟ କରିବା ପାଇଁ ପ୍ରତି କର୍ମୀ ଘରକୁ ଯାଆନ୍ତୁ । ବିଦେଶରେ ଓ ଓଡ଼ିଶା ବାହାର ଲୋକଙ୍କୁ ବି ବିଜେଡିରେ ସାମିଲ ହେବାକୁ ସେ ନିମନ୍ତ୍ରଣ କରିଛନ୍ତି । କିଛି ଦଳ ମିସଡ କଲ କରି ସଦସ୍ୟ କରୁଛନ୍ତି । ବିଜୁ ଜନତା ଦଳ ମିସଡକଲଠୁ ବହୁ ଦୂରରେ ରହିଛି । ସ୍ବାଭିମାନ ଓ ସଂଗ୍ରାମ ହେଉଛି ବିଜେଡିର ଆଦର୍ଶ । ଓଡ଼ିଶାବାସୀଙ୍କ ସେବା, ଓଡ଼ିଆ ଜାତିର ସ୍ବାଭିମାନର ସୁରକ୍ଷା ଓ ଓଡ଼ିଶାର ସ୍ବାର୍ଥ ପାଇଁ ବିଜୁ ବାବୁ ଶେଷ ପର୍ଯ୍ଯନ୍ତ ଲଢେଇ କରିଥିଲେ । ବିଜେଡି ସରକାର ସମୟରେ ରାଜ୍ଯରେ ବହୁ ଭଲକାମ ହୋଇଛି । ବିଜେଡି ସରକାରର ଯୋଜନା ଅନ୍ଯମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ମଧ୍ଯ ଆମ ଯୋଜନାକୁ ଅନୁକରଣ କରିଛନ୍ତି । ବିଜେଡି ସରକାର ଆରମ୍ଭ କରିଥିବା ବିକାଶ କଲ୍ଯାଣ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ । ଏବେବି ବିଜେଡି ଓଡ଼ିଶାର ଏକ ନମ୍ବର ଦଳ । ସାଧାରଣ ନିର୍ବାଚନରେ ବିଜେଡିକୁ ଲୋକ ଅଧିକ ଭୋଟ ଦେଇଛନ୍ତି । ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ଓଡ଼ିଶାବାସୀଙ୍କ ଗୌରବ ପାଇଁ ବିଜେଡି ସମର୍ପିତ ଭାବେ କାମ କରୁଛି । ସମସ୍ତେ ଗର୍ବର ସହ ଆମେ ବିଜୁ ଜନତା ଦଳର କର୍ମୀ, ଓଡ଼ିଶା ମାଆର ସେବକ କହିବାକୁ ନବୀନ ଆହ୍ବାନ ଦେଇଛନ୍ତି । ଏହାସହିତ ପୂଜା ଅବସରରେ ଅଭିନନ୍ଦନ ଜଣାଇଛନ୍ତି ।

ଆସନ୍ତା ୨ ମାସ ପର୍ଯ୍ଯନ୍ତ ସଦସ୍ଯତା ସଂଗ୍ରହ ଅଭିଯାନ ସାରା ରାଜ୍ଯରେ ଚାଲିବ । ପର୍ଯ୍ଯାୟକ୍ରମେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ । ଉଭୟ ଫିଜିକାଲି ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡ଼ା ଯିବ । ଡିଜିଟାଲରେ ସଦସ୍ୟତା ଗ୍ରହଣ କରିଥିବା ସଦସ୍ୟଙ୍କ ଘରକୁ ଘର ଯାଇ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଏଥର ମଧ୍ୟ ଅଧିକ ସଦସ୍ୟତା ସଂଗ୍ରହ କରିବା ପାଇଁ ବିଜେଡି ଟାର୍ଗେଟ ରଖିଛି ।