୪ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ, ଦ୍ରୌପଦୀଙ୍କ ଶପଥ ଗ୍ରହଣରେ ହେବେ ସାମିଲ

ଭୁବନେଶ୍ବର: ଆଜିଠୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୫ତାରିଖରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ ନବୀନ । ୨୬ ତାରିଖରେ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ।

ଶପଥ ଗ୍ରହଣରେ ଯୋଗଦେବାକୁ ନବୀନଙ୍କୁ କରାଯାଇଛି ନିମନ୍ତ୍ରଣ । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ବିଜେଡି ତାଙ୍କୁ ସହଯୋଗ କରିବ ବୋଲି ଘୋଷଣା କରିଥିଲେ ନବୀନ ।

ନିର୍ବାଚନରେ ଯେପରି ଓଡ଼ିଶାରୁ କୌଣସି ଭୋଟ୍ ନାକଚ ନହୁଏ ସେଥିପ୍ରତି ଧ୍ୟାନ ଦେଇଥିଲେ । ଦଳମତ ନିର୍ବିଶେଷରେ ସବୁ ଦଳ ଓଡ଼ିଆ ଝିଅଙ୍କୁ ଭୋଟ୍ ଦେବାକୁ ମଧ୍ୟ ଆହ୍ୱାନ କରିଥିଲେ ନବୀନ ପଟ୍ଟନାୟକ ।