ଦୁଇ ଲୋକସଭା କ୍ଷେତ୍ରର ୪ ବିଧାନସଭା ମଣ୍ଡଳୀରେ ନବୀନଙ୍କ ଦମଦାର ପ୍ରଚାର: କମ କହି ଲୋକଙ୍କ ମନ ଜିଣିଲେ

ଭୁବନେଶ୍ବର: ସ୍ବଳ୍ପ ସମୟ, ପ୍ରଭାବୀ ଅଭିଭାଷଣ । ଲୋକଙ୍କ କଥା ଶୁଣିଲେ, କମ କଥାରେ ବିରୋଧୀଙ୍କୁ କଟୁ ସମାଲୋଚନା କଲେ । ରାଜ୍ଯର ଦୁଇ ଲୋକସଭା କ୍ଷେତ୍ରର ୪ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧୀଙ୍କ ମିଛ ମୁଖା ଖୋଲିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବିଶାଳ ଜନସଭାକୁ ଅନୁରୋଧ କରିଛନ୍ତି ନବୀନ । ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ଯ ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗି ବିରୋଧୀଙ୍କୁ କରିଛନ୍ତି ଶାଣିତ ଆକ୍ରମଣ ।

ସମ୍ବଲପୁରରେ ନବୀନ କରିଥିଲେ ସୁପର ଶୋ’ । ଢେଙ୍କାନାଳରେ ଧମାକାଦାର କ୍ଯାମ୍ପେନ । ବିଶାଳ ଜନସଭା, ଅକୁଣ୍ଠ ଭଲ ପାଇବା । ପ୍ରତି ମୁହଁରେ ନବୀନ ନବୀନର ନାରା । ୨ ଲୋକସଭା କ୍ଷେତ୍ରର ୪ ନିର୍ବାଚନ ମଣ୍ଡଳୀରେ ବିଜେଡି ସୁପ୍ରିମୋଙ୍କ ବିଜୟ ଶଙ୍ଖନାଦ । ପ୍ରଥମେ ସମ୍ବଲପୁର ତା’ପରେ ରେଢାଖୋଲ, ଅନୁଗୁଳ ଓ ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ମାଗିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠି ବିଶାଳ ଜନସଭାକୁ ସମ୍ବୋଧିତ କରି ୟୁନିକ ଷ୍ଟାଇଲରେ ସିଧା ଲୋକଙ୍କଠାରୁ ଯୋଜନାର ସୁଫଳ ବିଷୟରେ ମତାମତ ଗ୍ରହଣ କରିଥିଲେ । କମ କହି ଲୋକଙ୍କ ମନ ଜିଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଭଲ କି ପ୍ରଶ୍ନର ଉତ୍ତରରେ ଭାବ ବିହ୍ୱଳ ହୋଇଯାଇଥିଲେ ଉପସ୍ଥିତ ଜନତା ।

ବିଜେଡି ପ୍ରାର୍ଥୀଙ୍କୁ ବଡ଼ ବ୍ଯବଧାନରେ ବିଜୟୀ କରିବାକୁ ଆଶୀର୍ବାଦ ଲୋଡ଼ିଛନ୍ତି ନବୀନ ।  ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କ ସହ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।

ସ୍ବଳ୍ପ ଭାଷଣରେ ସ୍ବଳ୍ପ ଶବ୍ଦରେ ବିରୋଧୀଙ୍କୁ କଟୁ ସମାଲୋଚନା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏଣୁ ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଜନତାଙ୍କୁ ଅନୁରୋଧ କରିଥିଲେ ନବୀନ ।

ନବୀନ ସରକାର ସବୁ ବର୍ଗର ବିକାଶକୁ ପ୍ରାଧାନ୍ଯ ଦେଉଛନ୍ତି । କେନ୍ଦୁପତ୍ର ଶ୍ରମିକଙ୍କ ପାଇଁ ଖୁବଶୀଘ୍ର ପ୍ୟାକେଜ୍ ଆସିବ ବୋଲି ମୁଖ୍ଯମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଚାର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜନତାଙ୍କୁ ଉଦବୋଧନ ଦେଇ ଶଙ୍ଖରେ ଆଶୀର୍ବାଦ ମାଗିବା ସହ ବିରୋଧୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ । ସମ୍ୱଲପୁରର ସାଂସଦ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ପ୍ରଶ୍ନ କରି ଲୋକଙ୍କୁ ଜବାବ ଦେବାକୁ ଆହ୍ବାନ ଦେଇଥିଲେ ।