ନବୀନଙ୍କ ଶିକ୍ଷା ସଂସ୍କାର: ଓଡ଼ିଶାରେ କମୁଛି ଡ୍ରପଆଉଟ୍, ବିରୋଧୀ ବି କରୁଛନ୍ତି ପ୍ରଶଂସା

1 min read

ଭୁବନେଶ୍ବର : ମୋ ସ୍କୁଲ ଅଭିଯାନ । 5T ସ୍କୁଲ ବ୍ୟବସ୍ଥା, ଗୁଣାତ୍ମକ ଶିକ୍ଷକ ଯୋଗୁ ଓଡ଼ିଶାର ସରକାରୀ ସ୍କୁଲରେ ମିଳୁଛି ଗୁଣାତ୍ମକ ଶିକ୍ଷା । ଏବେ ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ଅଧିକ । ଓଡ଼ିଶାରେ ସ୍କୁଲ ଶିକ୍ଷାର ଏପରି ଗୁଣାତ୍ମକ ଅଧ୍ଯାୟକୁ ରିପୋର୍ଟରେ ଉଲ୍ଲେଖ କରିଛି ଖୋଦ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ଶିକ୍ଷା ମନ୍ତ୍ରାଳୟ ରିପୋର୍ଟରେ କହିଛି ୨୦୨୨-୨୩ ଶିକ୍ଷା ବର୍ଷରେ ଓଡ଼ିଶାରେ ଥିବା ୬୧ ହଜାର ୮୯୧ଟି ସ୍କୁଲରେ ୭୬ ଲକ୍ଷ ୪୦ ହଜାର ପିଲା ପାଠ ପଢୁଥିଲେ । ୨୦୨୩-୨୪ ଶିକ୍ଷା ବର୍ଷରେ ପୂର୍ବ ବର୍ଷ ଅପେକ୍ଷା କମ୍ ସ୍କୁଲ ଅର୍ଥାତ ୬୧ ହଜାର ୬୯୩ ସ୍କୁଲରେ ୭୭ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି । ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ୍ ଇନଫରମେସନ୍ ସିଷ୍ଟମ୍ ଫର ଏଜୁକେସନ- UDISE+ ତଥ୍ୟ ଅନୁଯାୟୀ ୧ ଲକ୍ଷ ଛାତ୍ରଛାତ୍ରୀ ଅଧିକ ସ୍କୁଲରେ ଭର୍ତ୍ତି ହୋଇଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି ସରକାରୀ ସ୍କୁଲର ଶୈକ୍ଷିକ ବାତାବରଣ ଉତ୍ତମ ଥିବାରୁ କେବଳ ୫୨ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ରାଜ୍ୟରେ ଯେଉଁଠି ଘରୋଇ ସ୍କୁଲରେ ଅଧିକ ପିଲ ପାଠ ପଢ଼ନ୍ତି ନବୀନଙ୍କ ଶାସନରେ ଓଡ଼ିଶାରେ ଛାତ୍ରଛାତ୍ରୀ ସରକାରୀ ସ୍କୁଲକୁ ଅଧିକ ପସନ୍ଦ କରିଥିଲେ । ଗୋଟିଏ ବର୍ଷରେ ଶୂନ ଆଡମିଶନ ହେଉଥିବା ସ୍କୁଲର ପରିମାଣ ୩୩ରୁ ୮କୁ ଖସି ଆସିଛି ।

ଜାତୀୟ ସ୍ତରରେ ସ୍କୁଲ ଡ୍ରପ୍ ଆଉଟ ହାର ବଢୁଛି । ଅଥଚ ଓଡ଼ିଶାରେ କମୁଛି । ଜାତୀୟ ସ୍ତରରେ ଘରୋଇ ସ୍କୁଲରେ ପିଲା ବେଶି ପାଠ ପଢିବାକୁ ପସନ୍ଦ କରୁଛନ୍ତି । ହେଲେ ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ପିଲା ଓ ଅଭିଭାବକ ବେଶୀ ଆକୃଷ୍ଟ ହେଉଛନ୍ତି । ଏହା ପୂର୍ବ ସରକାରଙ୍କ ସୁଚିନ୍ତିତ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଓ ବିକାଶ କାର୍ଯ୍ୟକ୍ରମ ଯୋଗୁ ସମ୍ଭବ ହୋଇପାରିଛି । ରାଜ୍ୟର ଏହି ସଫଳତାକୁ ଭାରତ ସରକାର ସ୍ବୀକାର କରିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଶିକ୍ଷାବିତ । UDISE+ ତଥ୍ୟ ଅନୁଯାୟୀ ମାଧ୍ୟମିକ ଶିକ୍ଷାରେ ପିଲାଙ୍କ ଡ୍ରପ୍ ଆଉଟ ହାର ମାତ୍ର ୯.୧୧ ପ୍ରତିଶତ । ଯେଉଁଠି ଜାତୀୟ ଡ୍ରପ୍ ଆଉଟ ହାର ୧୦.୯ ପ୍ରତିଶତ । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଜାତୀୟ ୨୦୨୩-୨୪ ଶିକ୍ଷାବର୍ଷରେ ଓଡ଼ିଶାରେ ଅଧିକ ୧ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲରେ ନାମ ଲେଖାଇବାରୁ ମୋଟ ସଂଖ୍ୟା ନାମ ଲେଖା ସଂଖ୍ୟା ୭୭ ଲକ୍ଷ ୫୦ ହଜାର ହୋଇଥିଲା । କିନ୍ତୁ ଏହି ସମୟରେ ଜାତୀୟ ସ୍ତରରେ ୩୭ ଲକ୍ଷ ଛାତ୍ରଛାତ୍ରୀ କମ୍ ନାମ ଲେଖାଇଥିଲେ । ଶିକ୍ଷାବିତଙ୍କ ମତରେ ଆଦିବାସୀ ବହୁଳ ଅଞ୍ଚଳରେ ଡ୍ରପ୍ ଆଉଟ୍ ସଂଖ୍ୟା ଟିକିଏ ବଢିଥିଲା । ଏହାର କାରଣ ହେଉଛି, ପାଠ୍ୟକ୍ରମରେ କିଛିଟା ଜଟିଳତା ଯୋଗୁ ଜନଜାତି ଅଞ୍ଚଳର ଛାତ୍ରଛାତ୍ରୀ ପାଠପଢାରେ ଆଗ୍ରହ ଦେଖା ଦେଉନଥିଲେ । କିନ୍ତୁ ସେମାନଙ୍କୁ କିପରି ସ୍କୁଲ ଶିକ୍ଷା ପ୍ରତି ଆକୃଷ୍ଟ କରିହେବ । ସେ ନେଇ ବ୍ୟାପକ ସଚେତନ କରାଯିବା ସହ ଏହି ଧାରାକୁ ବଦଳାଇଥିଲେ ପୂର୍ବ ସରକାର । ଫଳରେ ରାଜ୍ୟର ସ୍କୁଲ ଶିକ୍ଷାର ଏପରି ବିକାଶ ଘଟିଛି ।

ପରିବର୍ତ୍ତିତ ସ୍ଥିତିରେ ରାଜ୍ୟରେ ସରକାର ବଦଳିଛି । ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ  ସ୍କୁଲ ରଙ୍ଗ ବଦଳିବା ସହିତ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ବଦଳାଇବାକୁ ବିଜେପି ସରକାର ନିଷ୍ପତ୍ତି ନେଉଛନ୍ତି । କିନ୍ତୁ ବିକାଶର ଅନ୍ୟ ପରିଭାଷା ନେଇ ପ୍ରଚାର ସର୍ବସ୍ବ ହୋଇଥିବା ମଙ୍ଗୁଆଳ ଯେତେ ଯାହା କହିଲେ ବି ଖୋଦ କେନ୍ଦ୍ର ସରକାର ତତ୍କାଳୀନ ନବୀନ ସରକାରଙ୍କ ସଂସ୍କାର ଉପରେ ମୋହର ମାରିଛନ୍ତି ।