ନବୀନଙ୍କ ପ୍ରଶ୍ନ: ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ରୁଦ୍ଧଦ୍ବାର ଡିଲ କରିଛନ୍ତି କି ?

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ରୁଦ୍ଧଦ୍ବାର ଡିଲ କରିଛନ୍ତି କି ? ରାଜ୍ୟ ବିଜେପି ସରକାର ଆଉ ଏକ ବିଜେପି ସରକାର ସହ ଗୁପ୍ତ ବୁଝାମଣା କରି ଓଡିଶାର ଜଳ ଅଧିକାରକୁ ଗୌଣ କରିଦିଆଯାଉଛି କି ? ଗତକାଲି ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ମହାନଦୀ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏଭଳି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ସୋସିଆଲ ମଡିଆରେ ନବୀନ ମହାନଦୀ ପ୍ରସଙ୍ଗରେ ଓଡିଶାର ହକକୁ ନ୍ୟୁନ କରିବାକୁ ହେଉଥିବା ଉଦ୍ୟମକୁ ନେଇ ବର୍ଷିଛନ୍ତି ନବୀନ । ରାଜ୍ୟ ସରକାର ଆଇନ ଗତ ଲଢେଇରୁ ଓହିରି ଯାଇଛନ୍ତି କି ବୋଲି ନବୀନ ପ୍ରଶ୍ନ କରିବା ସହ ତୁରନ୍ତ ସର୍ବଦଳୀୟ ବୈଠକ ଡାକି ଛତିଶଗଡ ସହ କେଉଁ ପ୍ରକାର ବୁଝାମଣା ହୋଇଛି ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ଆଇନଗତ ଲଢେଇ ଲଢିବେ ନା ନାହିଁ ତାହା ମଧ୍ୟ ସ୍ପଷ୍ଟ କରିବାକୁ ନବୀନ ଦାବି କରିଛନ୍ତି ।
ଅଗଷ୍ଟ ୨ ତାରିଖରେ ଟ୍ରିବ୍ୟୁନାଲରେ ପରବର୍ତ୍ତି ଶୁଣାଣି ଥିବାରୁ ସରକାର ଏବେଠୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି । ରାଜ୍ୟବାସୀ, ସବୁ ରାଜ୍ୟ ରାଜନୈତିକ ଦଳ ସମସ୍ତଙ୍କୁ ବିଶ୍ବାସକୁ ନେବା କଥା ସରକାର । କାରଣ ମହାନଦୀ କେବଳ ଏକ ନଦୀ ନୁହେଁ, ଏହା ରାଜ୍ୟର ଆତ୍ମା । ତେଣୁ ମହାନଦୀ ବିବାଦରେ ସରକାର ସ୍ବଚ୍ଛତା ଅବଲମ୍ବନ କରିବା ଉଚିତ ବୋଲି ନବୀନ କହିଛନ୍ତି । ତତ୍କାଳୀନ ରାଜ୍ୟ ସରକାରଙ୍କ ପିଟିସନ ଆଧାରରେ ୨୦୧୮ ଜାନୁଆରୀ ୨୩ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଜେଡିର ନିୟମିତ ଦାବି ଫଳରେ କେନ୍ଦ୍ର କ୍ୟାବିନେଟ ଟ୍ରିବ୍ୟୁନାଲ ଗଠନ ପାଇଁ ରାଜି ହୋଇଥିଲେ ଓ ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିଥିଲେ । କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି, ବିଜେଡି ସରକାର ଯେଉଁ କଷ୍ଟ କରି ଆଇନଗତ ଲଢେଇ ଆରମ୍ଭ କରିଥିଲା ତାକୁ ଦୁର୍ବଳ କରିଦେବାକୁ ଚେଷ୍ଟା କରାଯାଉଛି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ବିଶ୍ବାସକୁ ନନେଇ କେଉଁ ପ୍ରକାର ଓଡିଶାର ଆପୋଷ ବୁଝାମଣା କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିନାହାଁନ୍ତି । ରାଜ୍ୟର ସ୍ବାର୍ଥକୁ ରୁଦ୍ଧଦ୍ବାର ଡିଲରେ ପାଣିଚିଆ କରାଯାଉଛି କି ବୋଲି ନବୀନ ପ୍ରଶ୍ନ କରିବା ସହ ଏନେଇ ରାଜ୍ୟ ସରକାର ଏ ଦିଗରେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଉତ୍ତର ଦେବାକୁ ଦାବି କରିଛନ୍ତି ।