ଜାତୀୟ ସ୍ତରରେ ବଢୁଛି ନବୀନ ପଟ୍ଟନାୟକଙ୍କ ପତିଆରା, ନବୀନ-ନୀତୀଶ ଭେଟଘାଟକୁ ନେଇ ହଲଚଲ ରାଜନୀତି

1 min read

ଭୁବନେଶ୍ୱର: ନବୀନ-ନୀତୀଶ ଭେଟଘାଟକୁ ନେଇ ରାଜନୀତିରେ ହଟଚମଟ । ମେଣ୍ଟ ନୁହେଁ, ଉଚ୍ଚ ନେତୃତ୍ୱ ପାଇଁ ଜାତୀୟ ସ୍ତରର ନେତାଏ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍ । ଥରେ କେନ୍ଦ୍ରମନ୍ତ୍ରୀ ଓ ୫ ଥର ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିକୁ ନୂଆବାଟ ଦେଖାଇଛନ୍ତି ନବୀନ । ଆଦର୍ଶ ଓ ସ୍ବଚ୍ଛ ରାଜନୀତିରେ ଏଜେଣ୍ଡା ସ୍ପଷ୍ଟ ଥିବାରୁ ସାରା ଦେଶରେ ନବୀନଙ୍କ ରହିଛି ସ୍ବତନ୍ତ୍ର ପରିଚୟ । ସେହି ପରିଚୟ ଯୋଗୁଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କ ହୋଇଛି ଭେଟଘାଟ । ଦୁଇ ନେତାଙ୍କ ଭେଟଘାଟକୁ ବ୍ୟକ୍ତିଗତ ଓ ସୌଜନ୍ୟମୂଳକ କହିଛି ବିଜେଡି । ଦଳର ବରିଷ୍ଠ ଉପସଭାପତି କହିଛନ୍ତି- ବିଜେଡି ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଥାଏ । ବିଜେପି ସୁବିଧାବାଦୀ ରାଜନୀତିକୁ ବିଶ୍ବାସ କରେ ।

୨୦୦୦ରୁ ୨୦୦୯ ଯାଏ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଥିଲା । ମେଣ୍ଟ ଭାଙ୍ଗିବା ପରେ ବିଜେଡି ରାଜ୍ୟ ଓ ଦେଶରେ ସମଦୂରତା ନୀତିକୁ ଆପଣାଇଛି । କେନ୍ଦ୍ରରେ ଯିଏ ବି ସରକାରରେ ଥାଏ ରାଜ୍ୟ ସ୍ୱାର୍ଥକୁ ଆଖିରେ ରହି ପ୍ରସଙ୍ଗଭିତ୍ତିକ ସମର୍ଥନ ଦିଏ ବିଜେଡି । ମୁଖ୍ୟମନ୍ତ୍ରୀ ଜାତୀୟ ସ୍ତରରେ କୌଣସି ମେଣ୍ଟକୁ ଯାଇନାହାନ୍ତି । ତେବେ ଏହି ଭେଟଘାଟକୁ ନେଇ ମୁହାଁମୁହିଁ ବିଜେପି ଓ କଂଗ୍ରେସ । କେନ୍ଦ୍ରର ବିଜେପି ସରକାରକୁ ହଟାଇବା ପାଇଁ ତୃତୀୟ ସାମୁଖ୍ୟ ଗଠନକୁ ଗୁରୁତ୍ୱ ଦେଇଛି କଂଗ୍ରେସ । ତେଣେ ଏହି ଭେଟଘାଟକୁ ନେଇ ଛାନିଆ ରାଜ୍ୟ ବିଜେପି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ସାକ୍ଷାତ ।