ନବ ନିଯୁକ୍ତ ଓକିଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ

1 min read

ଭୁବନେଶ୍ବର: ନବ ନିଯୁକ୍ତ ୪୧ ଜଣ ସରକାରୀ ଓକିଲଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନବ ନିଯୁକ୍ତ ଓକିଲଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ‘ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ସରକାରଙ୍କ ପଦକ୍ଷେପ ନେଇଛନ୍ତି । ଗରିବରୁ ଅତି ଗରିବଙ୍କ ନ୍ୟାୟ ପଦ୍ଧତି ଉପରେ ବିଶ୍ବାସ ବଢୁଛି । ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ ଉପରେ କାମ କର । ଆଇନ ଆଖିରେ ସମସ୍ତେ ସମାନ ଏହା ଗରିବରୁ ଅତି ଗରିବ ହୃଦୟଙ୍ଗମ କରନ୍ତୁ ।’ ଲୋକସଭା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ କର୍ମଶାଳରେ ଭର୍ଚୁଆଲରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଆଗକୁ ସେ ଆହୁରି କହିଛନ୍ତି, ‘ନବ ନିଯୁକ୍ତ ଓକିଲ ରାଜ୍ୟର ବିଭିନ୍ନ ନ୍ୟାୟାଳୟରେ କାମ କରିବାର ଅନୁଭବ ରଖନ୍ତି । ଏହା ନ୍ୟାୟିକ ବିତରଣ ପାଇଁ ଭଲ ଖବର । ଏମାନେ ଆଗକୁ ବଢ଼ି ଗରିବରୁ ଅତି ଗରିବ ଲୋକଙ୍କୁ ସେବା ଯୋଗାଇବାକୁ ପ୍ରୟାସ କରିବେ । ରାଜ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆହୁରି ଅଧିକ ତ୍ବରିତ ହେବାର ଆବଶ୍ୟକତା ରହିଛି । 5Tରେ ଟେକ୍ନୋଲଜି ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଓ ଏହାକୁ ତ୍ବରିତ ନ୍ୟାୟ ପ୍ରଦାନରେ ଉପଯୋଗ କରାଯାଉଛି ।’

ଏହି ଅବସରରେ ଗୃହ ରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ନବ ନିଯୁକ୍ତ ଓକିଲଙ୍କୁ ସଚ୍ଚୋଟାତ ଓ ପାରଦର୍ଶୀ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହାସହ ତ୍ବରିତ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।

ଗରିବ ଓ ବଞ୍ଚିତ ବର୍ଗର ପୀଡ଼ିତଙ୍କ ବିଶ୍ବାସ ଜିତି ସଚ୍ଚୋଟତାର ସହ କାମ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଥିଲେ ।

5T ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।