କ୍ଷମତାରେ ରୁହନ୍ତୁ କି ବିରୋଧରେ, ନବୀନଙ୍କ ପାଇଁ ଶୃଙ୍ଖଳା ପ୍ରଥମ ପ୍ରାଥମିକତା

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଚେତାବନୀ ପରେ ପୁଣି ଥରେ ଶୃଙ୍ଖଳାକୁ ଗୁରୁତ୍ବ ଦେଇଛନ୍ତି ବିଜେଡି ନେତା । ଏକାଠି ହୋଇ ଦଳୀୟ ସଙ୍ଗଠନକୁ କିପରି ଆଗକୁ ନିଆଯିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମସ୍ତଙ୍କ ଫୋକସରେ ଦଳର ସାଂଗଠନିକ ନିର୍ବାଚନ । ଯାହା ଚଳିତମାସ ଶେଷ ସୁଦ୍ଧା ସରିବ । କିଏ କେଉଁ ଦାୟିତ୍ବ ନେବେ ଓ ଦଳର ଧର୍ମ ନିରପେକ୍ଷତା ନୀତିକୁ ବଜାଏ ରଖିପାରିବ, ସେ ନେଇ ନୂଆ ଉତ୍ସାହ ସହ କାମ ଆରମ୍ଭ କରିଛନ୍ତି ବରିଷ୍ଠ ଓ ଯୁବ ନେତା ।

କ୍ଷମତାରେ ରୁହନ୍ତୁ କି ବିରୋଧରେ, ନବୀନ ପଟ୍ଟନାୟକଙ୍କ ପାଇଁ ଶୃଙ୍ଖଳା ପ୍ରଥମ ପ୍ରାଥମିକତା । ଯେଉଁଥି ପାଇଁ ଦଳୀୟ ଶୃଙ୍ଖଳାକୁ ବାରମ୍ବାର ଗରୁତ୍ବ ଦେଇ ଆସୁଛନ୍ତି ନବୀନ । କିଛି ଦିନରୁ ଦଳ ଭିତରେ ଚାଲିଥିବା ସମାନ୍ତରାଳ ମେଳି ବିରୋଧରେ ନବୀନ ପାଟି ଫିଟାଇବା ପରେ ବିଜେଡି ନେତା ବି ଶୃଙ୍ଖଳାକୁ ଦେଇଛନ୍ତି ଗୁରୁତ୍ବ । ସୁପ୍ରିମୋଙ୍କ ଚେତାବନୀ ପରେ ହୋଟେଲ ମେଳିରେ ପଡିଛି ପୂର୍ଣ୍ଣଚ୍ଛେଦ । ଏଣିକି ଯାହା ଦଳୀୟ ବୈଠକ ହେବ, ସବୁ ହେବ ଶଙ୍ଖ ଭବନରେ । ଦଳୀୟ ସଙ୍ଗଠନ ଓ ଶୃଙ୍ଖଳା ପାଇଁ କିଛି ଅନୁଶାସନ ପାଳନ କରିବା ଦରକାର ବୋଲି ମାନୁଛନ୍ତି ସବୁ ନେତା । ଯେହେତୁ ସଭାପତି ଦଳର ସର୍ବେସର୍ବା, ସେ ତାଗିଦ କରିବା ସ୍ବାଭାବିକ । ସମସ୍ତେ ଏକ ମନ ଏକ ପ୍ରାଣରେ ସାଂଗଠିନକ ନିର୍ବାଚନ ପ୍ରକ୍ରିୟାକୁ ଓହ୍ଲାଇଛନ୍ତି । ସେହିପରି ଧର୍ମ ନିରପେକ୍ଷତାରେ ବିଶ୍ୱାସ କରନ୍ତି ନବୀନ ପଟ୍ଟନାୟକ । ଏହି ଆଭିମୁଖ୍ୟ ନେଇ ବିଜୁ ଜନତା ଦଳ ଗଠନ ହୋଇଥିଲା । ଧର୍ମ ନିରପେକ୍ଷତାକୁ ଆଗକୁ ନେଇ ଦଳ କିପରି ଯିବ, ତାକୁ ଏବେ ଆହୁରି ଗୁରୁତ୍ବ ଦିଆଯାଉଛି ।

ସବୁବେଳେ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ ଆସିଛି ବିଜେଡି । ଯେ କୌଣସି ରାଜନୈତିକ ଦଳ ଶୃଙ୍ଖଳା ଭିତରେ କାର୍ଯ୍ୟ କଲେ ଲୋକଙ୍କ ଆସ୍ଥା ଭାଜନ ହୋଇପାରିବେ । ତେଣୁ ଶୃଙ୍ଖଳିତ ଭାବେ କାମ କଲେ ପୁଣି ଥରେ କ୍ଷମତାକୁ ଫେରିବେ ବୋଲି ବିଶ୍ବାସ ରଖିଛନ୍ତି ବିଜେଡି ନେତା । ଦଳ ଭିତରେ ମତାନ୍ତର ମନାନ୍ତର ଥାଏ । ଏହାକୁ ଆଗକୁ ନେଇ ଚାଲିଲେ ଦଳ ଚାଲିବ । ଏ ସବୁ କିଛି ଦଳୀୟ ଶୃଙ୍ଖଳା ଉପରେ ନିର୍ଭର କରେ ।