ଆମ୍ବ ଟାକୁଆ ଖାଇ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା : ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆମ୍ବ ଟାକୁଆ ଖାଇ ଦୁଇଜଣ ଆଦିବାସୀ ମହିଳା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଖାଦ୍ୟ ସୁରକ୍ଷାରେ ଏକ ନମ୍ବର ରାଜ୍ୟରେ ଏଭଳି ଅଭାବନୀୟ ଘଟଣା ଘଟୁଛି ବୋଲି ସେ ସୋସିଆଲ ମିଡ଼ିଆ ଏକ୍ସରେ କହିଛନ୍ତି । ସେ କହିଛନ୍ତି ଯେ ଆମ୍ବ ଟାକୁଆ ଖାଇ କନ୍ଧମାଳର ଦୁଇ ଆଦିବାସୀ ମହିଳା ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ କଥା । ଏପରି ଘଟଣା ଦୁଇ ଦଶନ୍ଧି ତଳେ ଦେଖିବାକୁ ମିଳୁଥିଲା । ମାଣ୍ଡିପଙ୍କା ଗାଁର ନିରୀହ ଆଦିବାସୀ ଭାଇଭଉଣୀମାନଙ୍କର ଚାରି ମାସ ଧରି ରାସନ୍ ଚାଉଳ ବନ୍ଦ କାରଣରୁ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହୋଇଛନ୍ତି ।  ଯାହା ଅନ୍ୟନ୍ତ  ଦୁଃଖଦାୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା  । ବିଜେଡି ସରକାର ସମୟରେ ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରି ଏନଏଫଏସଏ କାର୍ଯ୍ୟକାରୀ କରାଯାଇଥିଲା । ଫଳରେ ଓଡ଼ିଶା ସାରା ଦେଶରେ ଏକ ନମ୍ବର୍ ରାଜ୍ୟ ହୋଇଥିଲା। ଏହାକୁ ଆହୁରି ବ୍ୟାପକ କରିବା ପାଇଁ ବିଜେଡି ସରକାର  ସ୍ୱତନ୍ତ୍ର ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରିଥିଲା ।  ଏକ ନମ୍ବର୍ ରାଜ୍ୟ ଭାବେ କେନ୍ଦ୍ର ସରକାରଙ୍କଠାରୁ ସମ୍ମାନିତ ହେବାରୁ ଆସି ଆଜି ଏପରି ସ୍ଥିତିରେ ପହଞ୍ଚିବା ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।