ଆଜି ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ନବ ନିର୍ବାଚିତ ବିଜେଡି ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଆଜି ବିଜେଡି ବିଧାୟକମାନେ ନେବେ ଗୁରୁମନ୍ତ୍ର । ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ କର୍ମଶାଳା । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କର୍ମଶାଳାର କରିବେ ଉଦଘାଟନ । ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ଜ୍ଞାନ ଦେବେ ଦଳର ପୁରୁଖା ବିଧାୟକ ଓ ପୂର୍ବତନ ବିଧାୟକ ।

ନୂଆ ବିଧାୟକଙ୍କୁ ଗୃହର ଗରିମା, ଗୃହରେ ଆଲୋଚନା ଶୈଳୀ, କାର୍ଯ୍ୟପନ୍ଥା ବାବଦରେ ପ୍ରଶିକ୍ଷଣ ଦିଆଯିବ । ଗଠନମୂଳକ ବିରୋଧି ଦଳ ଭାବେ ସରକାରଙ୍କୁ ଶାଣିତ ସମାଲୋଚନାର କଳା କୌଶଳ ଶିଖାଯିବ । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ମ୍ଯାଟର ଅଫ ପବ୍ଲିକ ଇମ୍ପୋରଟାନ୍ସ ଉପରେ ପ୍ରଶିକ୍ଷଣ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । ହାଉସ କମିଟି, ଷ୍ଟାଣ୍ଡିଂ କମିଟି, ସୋସିଆଲ ମିଡିଆ ସମ୍ପର୍କରେ ବି ତାଲିମ ପ୍ରଦାନ କରାଯିବ ।

ବିଜେଡିର ୫୧ ବିଧାୟକଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ୧୯ ଜଣ ବିଧାନସଭାକୁ ଆସିଥିବା ବେଳେ ୧୪ ବିଧାୟକ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଏମାନେ ଶାସକ ଦଳରେ ଥିବା ବେଳେ ଏଥର ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିରୋଧୀ ଦଳ ଭାବେ ସରକାରଙ୍କୁ ଗଠନମୂଳକ ସମାଲୋଚନା ପାଇଁ ବିଜେଡି ସୁପ୍ରିମୋ ଆହ୍ବାନ ଦେଇଛନ୍ତି ।

ବିଧାନସଭା ପକ୍ଷରୁ ଆୟୋଜିତ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ଯକ୍ରମ ଭଳି ଆୟୋଜନ କରିବା ଓ ରାଜନୈତିକ ସ୍ୱାର୍ଥ ଥିବା ଅଭିଯୋଗ କରି ବିଜେଡି ଏହାକୁ ବର୍ଜନ କରିଥିଲା ।