’ଓଡ଼ିଶାରେ ୨୦୨୪ରେ ପୁଣି ନବୀନ ପଟ୍ଟନାୟକ ସରକାର କରିବେ’

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଭାରତ ରତ୍ନ ପାଇଁ ହକଦାର । ତାଙ୍କୁ ଭାରତ ରତ୍ନ ନ ମିଳିବା ଦୁର୍ଭାଗ୍ୟଜନକ  । ୨୦୧୮ରେ ମୁଁ ଦାବି କରିଥିଲି ।  ପ୍ରଣବ ମୁଖାର୍ଜୀଙ୍କ ପୂର୍ବରୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବା ପାଇଁ ୨୦୧୮ରେ ମୁଁ ଦାବି କରିଥିଲା । କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରିଲାନି । ପ୍ରତିରକ୍ଷା ବିଭାଗର ସଂସଦୀୟ କମିଟିର ଓଡ଼ିଶା ଗସ୍ତ ଅବସରରେ ଆସି ଏହା କହିଛନ୍ତି ବହୁଜନ ସମାଜ ପାର୍ଟି ସାଂସଦ କନୱର ଡ୍ୟାନିଶ ଅଲ୍ଲୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଧାରାକୁ ବେଶ୍ ପ୍ରଶଂସା କରିବା ସହିତ ଓଡ଼ିଶାର ବିକାଶ ଦେଶର ରୋଲ୍ ମଡେଲ ହେଉ ବୋଲି ମଧ୍ୟ ସେ ଆଶା କରିଛନ୍ତି । ଓଡ଼ିଶାର ବିକାଶ ଦେଖି ଖୁସି ଲାଗୁଛି । ଓଡ଼ିଶାରେ ସରକାରୀ ବିରୋଧୀ ହାୱା ନାହିଁ । ୨୦୨୪ରେ ପୁଣି ନବୀନ ସରକାର କରିବେ ବୋଲି ଅଲ୍ଲୀ କହିଛନ୍ତି ।

ରାଜନୀତିରେ ନବୀନଙ୍କୁ ସେ ଜଣେ ସକାରାତ୍ମକ ନେତା ବୋଲି କହିବା ସହ ନବୀନ ବାବୁ ଜାତୀୟ ରାଜନୀତିର ନେତୃତ୍ବ ନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଓଡ଼ିଶାରେ ଯେଉଁ ଭଳି ଧର୍ମନିରପେକ୍ଷତା ବଜାୟ ରହୁଛି ତାହା ଉଦାହରଣୀୟ । ଦେଶରେ ଧର୍ମନିରପେକ୍ଷତା ବଞ୍ଚିବା ଦରକାର । ୨୦୨୪ରେ ବିଜେପି ସଫା ହୋଇଯିବ । ଓଡ଼ିଶାରେ ବିଜେପିର କୌଣସି ଚାଲ ଚଳିବ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ନବୀନଙ୍କ ବଡ଼ପଣ । ସେ କାହାକୁ ଖରାପ କୁହନ୍ତି ନାହିଁ ବୋଲି କହିଛନ୍ତି କନୱର ଡ୍ୟାନିଶ ଅଲ୍ଲୀ ।