ନବୀନଙ୍କ ଶାସନରେ ହୋଇଥିଲା IOCL, କିଛି ନକରି ମାଗଣାରେ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି

ଭୁବନେଶ୍ବର: ପ୍ରକଳ୍ପ ନବୀନ ପଟ୍ଟନାୟକଙ୍କ ସରକାର ଅମଳର। ୨୦୧୯ରେ ଆଇଓସିଏଲର ୧ ଲକ୍ଷ କୋଟି ପୁଞ୍ଜିନିବେଶଙ୍କୁ ମିଳିଥିଲା ଗ୍ରୀନ ସିଗନାଲ। ସବୁଜ ସଙ୍କେତ ସହ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ତତ୍କାଳୀନ ବିଜେଡି ସରକାର। ଏଥିରେ ପାରାଦୀପ ରିଫାଇନାରୀ ପ୍ରକଳ୍ପର ଉତ୍ପାଦନ ୧୫ ଏମଟିପିଏରୁ ୨୫ ଏମଟିପିଏ ପାଇଁ ସଂପ୍ରସାରଣ ସାଙ୍ଗକୁ ନାଫଥା କ୍ରାକର ୟୁନିଟ ଏବଂ ପଲିପ୍ରପଲିନ ୟୁନିଟ ପ୍ରତିଷ୍ଠା ହୋଇଥାନ୍ତା । ପୁଞ୍ଜି ନିବେଶର ସମସ୍ତ ପ୍ରକ୍ରିୟା ନବୀନ ପଟ୍ଟନାୟକଙ୍କ ସରକାର ଅମଳରୁ ସରିଥିଲେ ବି ପ୍ରଚାର ସର୍ବସ୍ବ ବିଜେପି ସରକାର ଏବେ ଦିଲ୍ଲୀରେ ନୂଆ ଚୁକ୍ତିନାମା ସ୍ବାକ୍ଷର କରି ବାହାବା ନେବାକୁ ଚେଷ୍ଟା କରିଛି । ଏହାକୁ ନେଇ ମୁଣ୍ଡ ଟେକିଛି ନୂଆ ବିବାଦ। ନବୀନ ସରକାରଙ୍କ ପ୍ରୟାସ, ଯୋଜନା ଓ ନିଷ୍ପତ୍ତିକୁ ବିଜେପି ସରକାର ନିଜ ନାଁରେ କରିବାକୁ ଉଦ୍ୟମ କରିଛି ବୋଲି ବିଜେଡି ଅଭିଯୋଗ କରିଛି । ରଙ୍ଗ ବୋଳା ସରକାରରେ କିଛି ନକରି ଆଉ ଏକ ବାହାବା ନେବାକୁ ଉଦ୍ୟମ କରୁଛି ବୋଲି ବିଜେଡି କହିଛି । ଅଯଥା ଶ୍ରେୟ ନେବାକୁ ବିଜେପି ସରକାର ଉଦ୍ୟମ କରିବା ସହ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିଛି । ଏହାକୁ ବିଜେଡି କଟାକ୍ଷ କରିବା ସହ ରାଜ୍ୟବାସୀ ସବୁ ଜାଣୁଛନ୍ତି ଓ ବୁଝୁଛନ୍ତି ବୋଲି କହିଛି।
ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିବା ପରେ ସବୁ ଜାଗାରେ ନିଜ ଦଳର ରଙ୍ଗ ବୋଳିବା ସହ ନବୀନ ସରକାରଙ୍କ ଯୋଜନାର ନାଁ ବଦଳାଇବାକୁ ପ୍ରୟାସ କରୁଛି । ଲକ୍ଷ୍ମୀ ବସକୁ ମୁଖ୍ୟମନ୍ତ୍ରୀ ବସ୍ ସେବା କରି ଗେରୁଆ ରଙ୍ଗ କରିଛି । ସରକାର କୋଠାବାଡ଼ିର ରଙ୍ଗ ମଧ୍ୟ ବଦଳିଛି । ରାସ୍ତାଘାଟରେ ପୂର୍ତ୍ତ ବିଭାଗ ପକ୍ଷରୁ ଲାଗିଥିବା ହୋର୍ଡିଂ ବି ଗେରୁଆ ରଙ୍ଗରେ ପରିଣତ ହୋଇଛି । ନବୀନ ପଟ୍ଟନାୟକଙ୍କ ଅମଳରେ ପାରାଦୀପରେ ଇଣ୍ଡିଆନ ଅଏଲ ରିଫାଇନାରୀ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ, ସବୁ ପ୍ରକାର ସହଯୋଗ ଦେଇଥିଲେ ବିଜେଡି ସରକାର । ପ୍ରକଳ୍ପର ସଂପ୍ରସାରଣ ସାଙ୍ଗକୁ ନୂଆ ୟୁନିଟ୍ ପାଇଁ ମଧ୍ୟ ନବୀନ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କରିଥିଲେ ।
ହେଲେ ବିଜେପି କିଛି ନ କରି କେବଳ ବାହାବା ନେବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଛି ବିଜେଡି । ଅପ୍ରତ୍ୟାଶିତ ଭାବେ କ୍ଷମତାକୁ ଆସିଥିବା ବିଜେପି ଏବେ ଶୁଖିଲା ଶ୍ରେୟ ନେବା ଚକ୍କରରେ ରହିଛି । ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ କିଛି ନ କରି ପୁରୁଣା ସରକାରଙ୍କ ସଫଳତାକୁ ନିଜ ନାଁରେ ପ୍ରଚାର କରିବାକୁ ଚଳାଇଥିବା ପ୍ରୟାସକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।