ଗଞ୍ଜାମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦୁଃଖ ଜଣାଇଲେ ଅନ୍ନଦାତା
ଭୁବନେଶ୍ବର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଂଜାମ ଗସ୍ତ ବେଳେ ଏମିତି କିଛି ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ କେଣ୍ଡାକୁ ମୁଣ୍ଡରେ ଧରି ଆଣିଥିଲେ ଚାଷୀ । କାନ୍ଦି କାନ୍ଦି ନବୀନଙ୍କୁ ଜଣାଇଥିଲେ ଗୁହାରୀ । ଧାର କରଜ କରି ଚାଷ କରିଥିଲେ । କିନ୍ତୁ ଅଦିନିଆ ବର୍ଷାରେ ସବୁ ଧୋଇ ହୋଇଯାଇଛି । ବିଲରେ ଧାନ ଗଜା ହୋଇଗଲାଣି । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଭାଗଚାଷୀ । ସରକାର ବଦଳି ଯାଇଥିଲେ ବି ଏବେ ବି ନବୀନଙ୍କ ଉପରେ ଚାଷୀଙ୍କ ଅଗାଢ ବିଶ୍ବାସ । କେବଳ ସେ ହିଁ ତାଙ୍କ ସମସ୍ୟାର ସମାଧାନ କରିପାରିବେ ।
ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପ୍ରଶାସନ ସେମାନଙ୍କ ଗୁହାରୀ ଶୁଣୁନି । ଏମଏ ପାସ କରିଥିବା ଜଣେ ଯୁବକ ମଧ୍ୟ ଚାଷ ପ୍ରତି ଆକୃଷ୍ଠ ହୋଇଥିଲେ । ହେଲେ ଏବେ ଫସଲ ହାନୀ ତାଙ୍କୁ ଦୋହଲାଇ ଦେଇଛି । ସେ ଏହି ଫସଲ ହାନୀ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି । କାରଣ ପ୍ରଶାସନ କୌଣସି ପ୍ରାକ ସୂଚନା ଦେଇନଥିଲା । ବିଜେପି ସରକାର ଚାଷୀଙ୍କୁ ସ୍ବାର୍ଥ ପୂରଣର ପ୍ରତିଶୃତି ଦେଉଥିବା ବେଳେ ସମସ୍ୟା ସମାଧାନ ପରିବର୍ତ୍ତେ ସେମାନେ ଚାଷୀଙ୍କ ପିଠିକୁ ବିଧା ମାରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କିଛି ମହିଳା ଚାଷୀ ।
ନବୀନ ଆଜି ଗଂଜାମ ଜିଲ୍ଲା ଶେରଗଡ ବ୍ଲକର ତାକରଡା ଓ ଗୋବିନ୍ଦପୁର, ହିଂଜିଳି ବ୍ଲକର ପୋଡିଙ୍ଗ, ଆସିକା ବ୍ଲକର ବରଗାଁ, କବିସୂର୍ଯ୍ୟନଗରର ଆମ୍ବଶିଖରପୁର ଏବଂ ଖଲିକୋଟର ଭରସାଗାଁରେ ବିଲମୁଣ୍ଡରେ ପହଁଚି ଚାଷୀଙ୍କ ଦୁଃଖ ଶୁଣିଥିଲେ । ଦାବି କରିଛନ୍ତି ବିଜେଡି ସରକାର ଅମଳରେ ଯେଉଁଭଳି ଚାଷୀଙ୍କୁ ତୁରନ୍ତ ସହାୟତା ଦିଆଯାଉଥିଲା, ଏବେ ମଧ୍ୟ ସରକାର ସେହିଭଳି କ୍ଷତିପୂରଣ ପ୍ରକ୍ରିୟା ତ୍ବରାନ୍ବିତ କରନ୍ତୁ । ନବୀନଙ୍କ ଗଂଜାମ ଗସ୍ତ ପ୍ରମାଣିତ କରିଥିଲା ରାଜ୍ୟବାସୀଙ୍କର ତାଙ୍କ ପ୍ରତି ରହିଥିବା ଆସ୍ଥା ଓ ବିଶ୍ବାସ । ନବୀନ ମୁଖ୍ୟମନ୍ତ୍ରୀ ନହାଁନ୍ତି ସତ, ହେଲେ ଲୋକଙ୍କ ମନରେ ସେ ହିଁ ତାଙ୍କ ସମସ୍ୟାର ସମାଧାନ କରିପାରିବେ ।