ନଷ୍ଟ ଧାନ ବିଡ଼ା ଦେଖାଇ ନବୀନଙ୍କ ଦୁଃଖ ଜଣାଇଲେ ଚାଷୀ
ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ଦିନରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସମବେଦନା ଜଣାଛନ୍ତି । ବିଲମୁଣ୍ଡକୁ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଦେଖିଛନ୍ତି ଓ ଚାଷୀଙ୍କୁ ଆଶ୍ବାସନା ଦେଇଛନ୍ତି । ସରକାରଙ୍କ ଉପରେ ଆଉ ଚାଷୀଙ୍କର ଭରସା ନାହିଁ । ଆଗୁଆ ସୂଚନା ଦିଆଯାଇଥିଲେ ଫସଲ କ୍ଷତି ହୋଇ ନଥାନ୍ତା କି ଏକାଧିକ ଚାଷୀଙ୍କ ଜୀବନ ଯାଇନଥାନ୍ତା ବୋଲି କହିଛନ୍ତି ନବୀନ । ଏଥିସହ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ।
ନବୀନଙ୍କୁ ଦେଖି କେଉଁଠି ମହିଳା କାନି ପାରି ଦୁଃଖ କହୁଛନ୍ତି ତ କେଉଁଠି ଚାଷୀ ନଷ୍ଟ ହୋଇଥିବା ଧାନକେଣ୍ଡା ଧରି ଛିଡା ହୋଇଛି । ଚାଷୀଙ୍କ ପାଇଁ ଏବେ ବି ନବୀନ ସର୍ବେସର୍ବା, ସେ ହିଁ ଆଶା ଓ ଭରସା । କେବଳ ନବୀନ ପଟ୍ଟନାୟକ ହିଁ ତାଙ୍କ ସମସ୍ୟାର ସମାଧାନ କରିପାରିବେ ଓ ନଷ୍ଟ ହୋଇଥିବା ଫସଲ ପାଇଁ କ୍ଷତିପୂରଣ ମିଳିପାରିବ । ଏହି ଆଶା ନେଇ ଆଜି ଉପକୂଳ ଓଡିଶାର ଚାରି ଜିଲ୍ଲାକୁ ବିରୋଧୀ ଦଳ ନେତାଙ୍କ ଗସ୍ତ ସମୟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ନବୀନ ପୁରୀର ସତ୍ୟବାଦୀ, କଟକର ସାଲେପୁର, ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ । ଏହି ସମୟରେ ହଜାର ହଜାର ଚାଷୀ ଓ ମହିଳା ତାଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ ।
ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରାଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରି କହିଥିଲେ । ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ । ଏପରିକି ପୂର୍ବ ସରକାରରେ ସେମାନଙ୍କୁ ଭତ୍ତା, ଚାଉଳ ସବୁ ସୁବିଧାରେ ମିଳୁଥିଲା । ସରକାର ବଦଳିବା ପରେ ହତାଦର ହେଉଥିବା ନେଇ ଚାଷୀମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ନବୀନ କ୍ଷତିଗ୍ରସ୍ତ ଲୋକଙ୍କ ଦୁଃଖ ଶୁଣିବା ସହ ଆଶ୍ୱାସନା ଦେଇ ସେ ସବୁବେଳେ ଚାଷୀ ପରିବାର ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ ବୋଲି କହିଛନ୍ତି । ଚାଷୀଙ୍କ ଦୁଃଖ ବୁଝିବାରେ ରାଜ୍ୟ ସରକାର ବିଫଳ ହୋଇଥିବା କହିଛନ୍ତି । ସରକାରଙ୍କ ଉପରେ ଚାଷୀ କୂଳର ଆଉ ଭରସା ନାହିଁ ବୋଲି ନବୀନ ଅଭିଯୋଗ କରିବା ସହ ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଦୃଢ ଦାବି କରିଛନ୍ତି ।