ଆସନ୍ତାକାଲି ସମ୍ମାନିତ ହେବେ ବିଜୁବାବୁ, ଉତ୍ସବରେ ଯୋଗ ଦେବା ପାଇଁ ନବୀନଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର : ପୁଣି ବିଜୁବାବୁଙ୍କୁ ସମ୍ମାନ ଦେବ ଋଷ । ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତାକୁ ସ୍ମରଣ କରି ସମ୍ମାନ ଦେବାକୁ ଯାଉଛି ଶକ୍ତିଶାଳୀ ଋଷ । ନାଜି ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବାକୁ ଋଷ ଘୋଷଣା କରିଛି । ଚଳିତ ମାସ ୯ ତାରିଖରେ ବିଶ୍ବଯୁଦ୍ଧ ବିଜୟକୁ ୮୦ ବର୍ଷ ପୂରୁଛି । ଆସନ୍ତାକାଲି ସକାଳେ ଏଥିପାଇଁ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ଯୋଗ ଦେବାକୁ ଦିଲ୍ଲୀ ଯାଇଛନ୍ତି ବିଜେଡି ସୁପ୍ରିମୋ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୯୫ ମସିହାରେ ବିଜୁବାବୁଙ୍କୁ ଜୁବୁଲି ମେଡାଲରେ ସମ୍ମାନିତ କରାଯାଇଥିଲା । ଏବେ ୮୦ ବର୍ଷ ପୂର୍ତ୍ତି ଅବସରରେ ନାଜି ବିରୋଧରେ ଏକାଠି ଲଢିଥିବା ହୀରୋମାନଙ୍କୁ ଋଷ ସମ୍ମାନ ପ୍ରଦର୍ଶନ କରିବ । ଏହି ହୀରୋମାନଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ପ୍ରବାଦ ପୁରୁଷ ତଥା ଝଡ଼ର ଇଗଲ ବିଜୁ ପଟ୍ଟନାୟକ । ନାଜି ଜର୍ମାନୀ ତଥା ହିଟଲରଙ୍କ ଏକଛତ୍ରବାଦ ବିରୋଧରେ ଥିଲା ଏହି ଯୁଦ୍ଧ । ବିଶ୍ବଯୁଦ୍ଧ ସମୟରେ ବିଜୁ ବାବୁ ଇଣ୍ଡିଆନ ନାସନାଲ ଏୟାରୱେଜରେ ପାଇଲଟ ଭାବେ ଥିଲେ କାର୍ଯ୍ୟରତ । ଋଷର ରେଡ ଆର୍ମିକୁ ସହଯୋଗ ପାଇଁ ବିଜୁବାବୁଙ୍କୁ ମିଳିଥିଲା ଗୁରୁ ଦାୟିତ୍ବ । ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ବିଜୁ ପଟ୍ଟନାୟକ ଷ୍ଟାଲିନ ଗ୍ରେଡରେ ବିମାନ ଅବତରଣ କରି ଋଷର ରେଡ ଆର୍ମିକୁ ସହାୟତା କରିଥିଲେ । ଆସନ୍ତାକାଲି ସକାଳେ ଯୁଦ୍ଧରେ ସହାୟତା କରିଥିବା ହୀରୋଙ୍କର ଏକ ନାମଫଳକ ଅନାବରଣ କରିବେ ଋଷ ରାଷ୍ଟ୍ରଦୂତ । ଏହି ଫଳକରେ ଓଡ଼ିଶାର ଗର୍ବ ଓ ଗୌରବ ବିଜୁ ପଟ୍ଟନାୟକଙ୍କ ନାଁ ଉଲ୍ଲେଖ ରହିଛି ।