କୋଭିଡ କଟକଣାରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ, ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର: ଚଳିତ ବର୍ଷ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ମାର୍ଗଦର୍ଶିକା ମଧ୍ୟରେ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରିବେ । ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୧ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ମାର୍ଗଦର୍ଶିକାର ସଠିକ୍ ଅନୁପାଳନ କରାଯାଇ ସ୍ୱଳ୍ପସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧା, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ସ୍ୱାଧୀନତା ଦିବସ ଆୟୋଜିତ ହେବ ।
ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ଭାବାବେଗ ଏବଂ ଗର୍ବର ପ୍ରତୀକ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକ ରେ ଗୁରୁତ୍ୱ ଦେଇଥିଲେ । ଗୃହ ବିଭାଗ ଦ୍ୱାରା ଚିହ୍ନଟ ୟୁନିଟ୍-୩ସ୍ଥିତ ପ୍ରଦ ଶର୍ନ ୀ ପଡ଼ିଆଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ପ୍ରଭାତରେ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସ୍ୱାଧୀନତା ଦିବସ ଉତ୍ସବର ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଓ କୋଭିଡ୍ ଯୋଦ୍ଧାଙ୍କ ଉପବେଶନ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଚଳିତ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୋଠା, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାର ଆଲୋକୀକରଣ ବିଷୟରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେସନ୍ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍ ନିୟନ୍ତ୍ରଣକୁ ଡିସିପି, ଭୁବନେଶ୍ୱର ପରିଚାଳନା କରିବେ । ପୂର୍ବବର୍ଷ ପରି ନୂଆଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇଠାରେ ବିଭାଗ ପକ୍ଷରୁ ଉତ୍ସବ ପାଳନ କରାଯିବ । ସେହିପରି ଆର୍ଡିସି ଜୋନ୍, ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ କୋଭିଡ୍ ନିୟମାବଳୀ
ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ ।