ଆଜି ଭୁବନେଶ୍ବରରେ ୩ଟି ପୂଜାମଣ୍ଡପ ବୁଲିବେ ନବୀନ

ଭୁବନେଶ୍ବର: ଆଜି ପୂଜାମଣ୍ଡପ ବୁଲିବେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ରାଜଧାନୀ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ଯକ୍ରମ ରହିଛି । ସକାଳ ସାଢେ ୧୦ଟାରୁ ପ୍ରାୟ ଘଣ୍ଟାଏ ଯାଏଁ ମଣ୍ଡପ ଯାଇଁ ମାଆଙ୍କୁ ଦର୍ଶନ କରିବେ ନବୀନ । ଏହା ସହିତ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ଯକ୍ରମ ରହିଛି । ଏଥିପାଇଁ ନବୀନ ସକାଳ ସାଢେ ୧୦ଟାରେ ନବୀନ ନିବାସରୁ ବାହାରି ୧୦ଟା ୪୫ରେ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚିବେ । ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିବେ ।

ପରେ ୧୧ଟା ୩ ମିନିଟରେ ସହିଦନଗର ଓ ୧୧ଟା ୨୫ ମିନିଟରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିବେ । ମଣ୍ଡପ ବୁଲି ଯିବାକୁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଛନ୍ତି । ପୂର୍ବରୁ ଗଣେଶ ପୂଜା ସମୟରେ ମଧ୍ଯ ନବୀନ ମଣ୍ଡପ ବୁଲିବା ସହ ଲୋକଙ୍କ ସହ କଥା ହୋଇଥିଲେ ।