ଆସନ୍ତାକାଲି ନବୀନ ପଟ୍ଟନାୟକଙ୍କ ହେବ ଅସ୍ତ୍ରୋପଚାର

ନନ୍ଦିଘୋଷ ବ୍ୟୁରୋ: ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ମୁମ୍ବାଇ ଯାଇ ନବୀନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆସନ୍ତାକାଲି ସକାଳେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି ।
ସେପଟେ ନବୀନଙ୍କ ଅସୁସ୍ଥତା ନେଇ ସାରା ରାଜ୍ୟରୁ ଆଶୁ ଆରୋଗ୍ୟ କାମନାର ସୁଅ ଛୁଟୁଛି । ଗତକାଲି ନବୀନ ଭୁବନେଶ୍ବର ଛାଡିବା ସମୟରେ ବହୁ ସଂଖ୍ୟାରେ ମହିଳା ଓ ବିଜେଡି ନେତା, କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ସାରା ରାଜ୍ୟରେ ନବୀନଙ୍କ ଆରୋଗ୍ୟ କାମନା କରି ଦୀପଦାନ କରାଯାଉଛି । ବାଲେଶ୍ୱର ଜିଲ୍ଲା ବାବା ବକ୍ରେଶ୍ୱର ଶୈବ ପୀଠରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଶତାଧିକ ମହିଳା ଓ ପୁରୁଷ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ୧୦୮ ଦୀପ ଦାନ କରିଛନ୍ତି । ଏହାସହ ବାବାଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି । ଏଥିରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ । ମହିଳାମାନେ ହୁଳହୁଳି ପକାଇ ଉପାସ ରହି ନବୀନଙ୍କ ପାଇଁ ପୂଜା କରିଥିଲେ । ଶୀଘ୍ର ନବୀନ ସୁସ୍ଥ ହୋଇ ପୁଣି ଓଡିଶାକୁ ଆସି ଲୋକଙ୍କ ସେବା ଜାରି ରଖନ୍ତୁ ବୋଲି ସେମାନେ କାମନା କରିଛନ୍ତି ।
ଉଦଳା ବିଜେଡି ପକ୍ଷରୁ ଆଜି ସମୂହ ଦୀପ ଦାନ କରାଯାଇଛି । ପୂର୍ବତନ ଉଦଳା ବିଧାୟକ ଶ୍ରୀନାଥ ସୋରେନଙ୍କ ସମେତ ଉପଖଣ୍ଡର ସମସ୍ତ ବିଜେଡି ନେତା ଉଦଳା ହନୁମାନ ମନ୍ଦିରରେ ପହଞ୍ଚି ବିଜେଡି ସୁପ୍ରିମୋଙ୍କ ଆଶୁ ଆରୋଗ୍ୟ କାମନା କରି ୧୦୮ ଦୀପ ପ୍ରଜ୍ଜ୍ବଳନ କରି ପୂଜାର୍ଚ୍ଚନା କରିଥିଲେ । ନବୀନ ଶୀଘ୍ର ସୁସ୍ଥ ହୋଇ ଫେରିବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ସମସ୍ତେ । ସେହିପରି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ନୀଳଗିରି ବିଜେଡି ପକ୍ଷରୁ ମା’ ଭୂଧାରଚଣ୍ଡୀଙ୍କ ନିକଟରେ ଦୀପଦାନ କରାଯାଇଛି । ବିଜେଡିର ଶହ ଶହ କର୍ମୀ ପୂର୍ବତନ ବିଧାୟକ ସୁକାନ୍ତ ନାୟକଙ୍କ ନେତୃତ୍ବରେ ମା’ଙ୍କ ପୀଠରେ ପହଞ୍ଚି ଦୀପଦାନ କରିବା ସହ ନବୀନଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି ।