ବିକାଶ ପାଇଁ ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ନୂଆଦିଲ୍ଲୀ: ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ଅଭିମୁଖେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ଅପରାହ୍ନ ୩ଟାରେ ଇଟାଲୀରେ ପହଞ୍ଚିବେ ନବୀନ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରୋମରେ ରହିବେ ମୁଖ୍ୟମନ୍ତ୍ରୀ । ଏହି ସମୟ ମଧ୍ୟରେ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲୀଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ବତନ୍ତ୍ର ଉତ୍ସବରେ ଯୋଗଦେବେ । ସେଠାରେ ଓଡ଼ିଶାର ଦୁଇ ପ୍ରମୁଖ ସଫଳତା ବାବଦରେ ନିଜ ଅନୁଭୂତି ବଖାଣିବେ ।

ଦିନେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟକୁ ହାତ ପତାଉଥିବା ଓଡ଼ିଶା କିପରି ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ ହେବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଇପାରୁଛି, କେଉଁ ମେକାନିଜମରେ କାମ କରୁଛନ୍ତି ଓଡ଼ିଶା ସରକାର । ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା କେମିତି ହେଲା ଏକ ନମ୍ବର । ସେ ବିଷୟରେ ମନ୍ତ୍ର ଦେବେ ନବୀନ । ରୋମ ରହଣୀ ସମୟରେ ଭାଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନସିସିଙ୍କୁ ନବୀନ ସାକ୍ଷାତ କରିବେ । କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ ।

ସେହିପରି ୨୪ ତାରିଖରେ ରୋମରୁ ୟୁରୋପ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୨୬ ତାରିଖରେ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ଦୁବାଇରେ ମିଡିଲ ଇଷ୍ଟ ପୁଂଜି ନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ । ଓଡିଶାରେ ବୈଦେଶିକ ପୁଂଜିନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଂଜି ନିବେଶକାରୀଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ଯୋଗାଣ ସଚିବ ଭି.ଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତ ବିଦେଶ ଗସ୍ତରେ ଅଛନ୍ତି ।