ଓଡ଼ିଶା ପାଇବ ପ୍ରଥମ ମହିଳା ବାଚସ୍ପତି, ସଂଧ୍ୟାରେ ନାଁ ଘୋଷଣା..
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ରାଜନୀତିରେ ଲେଖା ହେବାକୁ ଯାଉଛି ନୂଆ ଇତିହାସ । ବିଧାନସଭାର ମୁଖିଆ ହୋଇପାରନ୍ତି ଜଣେ ମହିଳା । ଅର୍ଥାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷରେ ପରିବର୍ତ୍ତନ ହେବାକୁ ଯାଉଛି ମନ୍ତ୍ରୀମଣ୍ଡଳ । ଆଉ ମନ୍ତ୍ରୀମଣ୍ଡଳରେ ମହିଳାକୁ ମିଳିବାକୁ ଯାଉଛି ଗୁରୁ ଦାୟିତ୍ୱ । ସେପଟେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ଏକଥା ସ୍ପଷ୍ଟ ଯେ, ବିଧାନସଭାରେ ନୂଆ ବାଚସ୍ପତି ହେବାକୁ ଯାଉଛନ୍ତି । ତାହା ପୁଣି ଜଣେ ମହିଳାଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି ।
ଓଡିଶା ରାଜନୈତିକ ଇତିହାସରେ ଆଜି ପର୍ଯ୍ୟନ୍ତ ବାଚସ୍ପତି ଭାବେ କୈଣସି ମହିଳାଙ୍କୁ ସୁଯୋଗ ମିଳିପାରିନାହିଁ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଇତିହାସରେ ଗାର ଟାଣିବାକୁ ଯାଉଛନ୍ତି । ଦଳର ଜଣେ ବରିଷ୍ଠ ମହିଳା ବିଧାୟକଙ୍କୁ ଦେବାକୁ ଯାଉଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ମହିଳା ସଶକ୍ତିକରଣ ପ୍ରସଙ୍ଗ ଉଠାଉଥିବାବେଳେ ୩୩ ପ୍ରତିଶତ ମହିଳାଙ୍କୁ ରାଜନୀତିରେ ସଂରକ୍ଷଣ ଦେବାକୁ ନେଇ ବାରମ୍ବାର ଦାବି ଉପସ୍ଥାପନ କରିଛନ୍ତି ।
ଉଚ୍ଚ ସଦନ ଠାରୁ ନିମ୍ନ ସଦନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ଉଠାଇ ଆସିଛି ବିଜୁ ଜନତା ଦଳ । ତେବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ସୁପ୍ରିମୋ ମହିଳାଙ୍କୁ ୩୩ ପ୍ରତିଶତ ଆସନରେ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସରକାରରେ ପରିବର୍ତ୍ତନ କରିବାକୁ ଯାଉଥିବାବେଳେ ଜଣେ ବରିଷ୍ଠ ମହିଳାଙ୍କୁ ବାଚସ୍ପତି ଆସନ ଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ,ଦଳର ଜଣେ ବରିଷ୍ଠ ବିଧାୟିକାଙ୍କ ନାମରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ସରକାର ପ୍ରଥମ ଥର ପାଇଁ ମନ୍ତ୍ରୀମଣ୍ଡଳର ସମୁହ ଇସ୍ତଫା ଦେଇଥିବାବେଳେ ରବିବାର ଶପଥ ଗ୍ରହଣ କରିବେ ନୂତନ ମନ୍ତ୍ରୀ ।