ରାଜ୍ୟରେ ଆଇନ ଶୃଙ୍ଖଳା ଥିବା ପରି ଅନୁଭବ ହେଉନାହିଁ: ନବୀନ

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପୁଣି ଉଦବେଗ ପ୍ରକାଶ କଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀଙ୍କ ସହ ଆୟୋଜିତ ବୈଠକରେ ବିସ୍ତୃତ ଆଲୋଚନା କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ନବୀନ । କହିଛନ୍ତି, ଏବେ ଥାନାରେ ମହିଳା ଅସୁରକ୍ଷିତ । ରାଜଭବନ କର୍ମଚାରୀ ମାଡ ଖାଉଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ଥିବା ପରି ଅନୁଭବ ହେଉନାହିଁ ।

ଆଗକୁ ସେ କହିଛନ୍ତି, ବିଜେଡି ସରକାରରେ ଥିବାବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା । ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତରୁ ୧୦ ପ୍ରତିଶତକୁ କମିଛି । ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି ବୋଲି ଖୋଦ ଭାରତ ସରକାରଙ୍କ ରିପୋର୍ଟ କହୁଛି । ଏଥର ଯଦି ବିଜେଡି କ୍ଷମତାକୁ ଆସିଥାନ୍ତା ତେବେ ଓଡିଶାରୁ ଗରିବୀ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଥାନ୍ତା ।

ନବୀନ ଆହୁରି କହିଛନ୍ତି, କେନ୍ଦ୍ରାପଡ଼ା ସବୁବେଳେ ମୋ ପାଇଁ ଓ ବିଜୁ ବାବୁଙ୍କ ପାଇଁ ସ୍ୱତନ୍ତ୍ର ହୋଇ ରହି ଆସିଛି । ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କ ପରିବାରର ସମ୍ପର୍କ ବହୁତ ପୁରୁଣା । ବିଜେପି ସରକାର ଓଡ଼ିଶାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇଛି । ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା, ମାଗଣା ବିଜୁଳି, ଭତ୍ତାକୁ ନେଇ ଲୋକଙ୍କୁ ଧୋକା ଦେଇଛି । ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ନବୀନ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ଲୋକଙ୍କ ଭଲ ପାଇବା ଏବେ ବି ବିଜେଡି ପ୍ରତି ଅତୁଟ ରହିଛି । ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।