ଅପରାଧ ଘଟିବା ପରେ ବିଜେପି ସରକାରରେ ପୋଲିସ ପ୍ରଶାସନ କ୍ରିୟାଶୀଳ ହେବା ଅପରାଧୀଙ୍କୁ ଭୟଶୂନ୍ୟ କରିଦେଉଛି: ନବୀନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଉଦବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଅଶାନ୍ତ ହୋଇଛି ରାଜ୍ୟର ରାଜଧାନୀ । ଖୁଲମଖୋଲା ବଢ଼ୁଛି ଆତଙ୍କରାଜ । କିଏ ଦେବ ଲୋକଙ୍କୁ ସୁରକ୍ଷା ?

ଗୋଟିଏ ଦିନରେ ଭୁବନେଶ୍ବରରେ ଏମ୍ସ କର୍ମଚାରୀଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା, ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଚନ୍ଦ୍ରଶେଖରପୁରରେ ବୀଭତ୍ସ ହତ୍ୟାକାଣ୍ଡ ସହ ରେଳ ଷ୍ଟେସନରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହା ସମସ୍ତଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି ।

ନବୀନ ଅଭିଯୋଗ କରିଛନ୍ତି, କେବଳ ଘଟଣା ଘଟିବା ପରେ ବିଜେପି ସରକାରରେ ପୋଲିସ ପ୍ରଶାସନ କ୍ରିୟାଶୀଳ ହେବା ଅପରାଧୀଙ୍କୁ ଭୟଶୂନ୍ୟ କରିଦେଉଛି । କଥା କଥାକେ ଦିବାଲୋକରେ ଗୁଳି ଫୁଟୁଛି, ଅପରାଧୀ ଅବାଧ ଭାବେ ବୁଲୁଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ବେଳେ ବିଜେପି ସରକାର ସଜାଗ ନ ହେବା ସବୁଠୁ ଆଶ୍ଚର୍ଯ୍ୟର ବିଷୟ । ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେଇ, ଏକ ଭୟମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନବୀନ ପଟ୍ଟନାୟକ ଦାବି କରିଛନ୍ତି ।